ବୁଗୁଡ଼ା: ବିନା ପରୀକ୍ଷାରେ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ବିଭିନ୍ନ ଆଡ଼ୁ ଅସନ୍ତୋଷ ତେଜିବା‌ରେ ଲାଗିଛି। କେଉଁଠି ପିଲା କମ୍ ମାର୍କ ପାଇ ଆନ୍ଦୋଳନକୁ ଓହ୍ଲାଇଲେଣି ତ, ଆଉ କେଉଁଠି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପିଲାଙ୍କ ଫଳାଫଳ ହିଁ ପ୍ରକାଶ ପାଇପାରିନି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ଜଣେ ଶିକ୍ଷକଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆସିଛି। ତାଙ୍କ ପାଖକୁ ଟ୍ୟୁସନ୍ ହେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ମାର୍କ ଦିଆଯାଇଥିବା ବେଳେ ଟ୍ୟୁସନ୍ ଯାଉ ନଥିବା ପିଲାଙ୍କୁ ଜାଣିଶୁଣି କମ୍ ମାର୍କ ଦିଆଯାଇଥିବା ଅଭିଯୋଗ ଆଣି ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଶ୍ରୀକାନ୍ତ ସ୍ବାମୀ ତପୋବନ ନୋଡ଼ାଲ୍‌ ଉଚ୍ଚବିଦ୍ୟାଳୟ ହାଇସ୍କୁଲ୍‌ର ସହକାରୀ ଶିକ୍ଷକଙ୍କ ବି‌ରୋଧରେ ଏଭଳି ପାତରଅନ୍ତର ନୀତି ଅଭିଯୋଗ ଆଣି ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣାରେ ବସିବା ସହ ପ୍ରଧାନଶିକ୍ଷକଙ୍କୁ ତାଲା ଠୁଙ୍କି ଦେଇଥିଲେ।

ପିଲାଙ୍କ ଅଭିଯୋଗ ହେଉଛି, ବିଦ୍ୟାଳୟର ସହକାରୀ ଶିକ୍ଷକ ଶଙ୍କର ଜେନା ନିଜେ ଏକ କୋଚିଂ ସେଣ୍ଟର୍ କରିଛନ୍ତି। ତାଙ୍କ ପାଖରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସେ ଅଧିକ ମାର୍କ ଦେଇଥିବା ବେଳେ ଅନ୍ୟମାନଙ୍କୁ ଜାଣିଶୁଣି କମ୍ ମାର୍କ ଦେଇଛନ୍ତି। ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ସେ ଟ୍ୟୁସନ୍ କରୁଥିବାରୁ ପୂର୍ବରୁ ଅଭିଭାବକ ମାନେ ଦୁଇଥର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ଫଳରେ ପ୍ରତିଶୋଧପରାୟଣ ହୋଇ ସେ କମ୍ ମାର୍କ ଦେଇଛନ୍ତି।

ଆଜି ସକାଳେ ଛାତ୍ରଛାତ୍ରୀ ମାନେ ଅଭିଭାବକଙ୍କ ସହ ବିଦ୍ୟାଳୟକୁ ଯାଇ ଗୌରୀଶଙ୍କର ପଣ୍ଡାଙ୍କୁ ଅଭିଯୋଗ ପତ୍ର ଦେଇଥିଲେ। ଉତ୍ତର ଖାତାର ମାର୍କ ଏବଂ ବୋର୍ଡକୁ ପଠାଯାଇଥିବା ମାର୍କ ଦେଖିବାକୁ ଚାହୁଁଥିଲେ। କିନ୍ତୁ ଏହାକୁ ଦେଖାଇବାକୁ ପ୍ରଧାନଶିକ୍ଷକ ରୋକ୍‌ଠୋକ୍ ମନା କରିବାରୁ ଛାତ୍ରଛାତ୍ରୀ ଧାରଣାରେ ବସିବା ସହ ତାଙ୍କ ପ୍ରକୋଷ୍ଠରେ ତାଲା ଠୁଙ୍କି ଦେଇଥିଲେ। ବହୁ ସମୟ ପରେ ଆସନ୍ତକାଲି ଶିକ୍ଷକମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ଦେଖାଇବାବୁ ସ୍ଥିର ହୋଇଥିଲା। ତେବେ କେହି କାହାକୁ ବିଶ୍ୱାସ ନକରି ପାରିବା ଯୋଗୁଁ ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କ ପକ୍ଷରୁ ଗୋଟିଏ ଲେଖାଏଁ ତାଲା ଅଫିସ୍ ରୁମରେ ପକାଯାଇଥିବା ଜଣାଯାଇଛି। ବୁଗୁଡ଼ା ଅଞ୍ଚଳରେ ମଧ୍ୟ ଏମିତି ଅନେକ ସ୍କୁଲରେ ଟ୍ୟୁସନ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ମାର୍କ ଦିଆ ଯାଇଥିବା ଅଭିଯୋଗ ଆସିଛି।

The post ଟ୍ୟୁସନ୍ ପଢ଼ିଥିବା ପିଲାଙ୍କୁ ଅଧିକ ମାର୍କ ଅଭିଯୋଗ, ପ୍ରଧାନଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ  first appeared on Sambad.

from ଜିଲ୍ଲା | Sambad https://ift.tt/3drQ5jk