ନୟାଗଡ଼: ନୟାଗଡ଼ ଯଦୁପୁର ଗ୍ରାମର ବହୁଚର୍ଚ୍ଚିତ ୫ ବର୍ଷୀୟା ନାବାଳିକା ପରୀ(ଛଦ୍ମନାମ) ନିଖୋଜ, ହତ୍ୟା ତଥା ଦୁଷ୍କର୍ମ ଘଟଣାକୁ ଆସନ୍ତାକାଲି ଏକ ବର୍ଷ ପୂରିବାକୁ ଯାଉଛି। ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍‌ ଗାଏବ ହୋଇଯାଇଥିଲା। ସେହି ମାସ ୨୩ରେ ତା’ର କିଛି ହାଡ଼ ଓ ଖପୁରି ଉଦ୍ଧାର ହୋଇଥିଲା। ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିବା ଏହି ପ୍ରସଙ୍ଗ ବର୍ତ୍ତମାନ ନ୍ୟାୟିକ ପ୍ରକ୍ରିୟାରେ ଅଟକି ରହିଛି। ଏ ପର୍ଯ୍ୟନ୍ତ ଏହାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ।

ଗତ ଫେବ୍ରୁଆରି ୧୫ରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିସାରିଛି। କିନ୍ତୁ ଏପର୍ଯ୍ୟନ୍ତ ମାମଲାର ଚାର୍ଜଫ୍ରେମ୍‌ ହୋଇ ପାରୁନାହିଁ। ଠିକ୍‌ ଢଙ୍ଗ‌ରେ ଏସ୍‌ଆଇଟି ତଦନ୍ତ କରିନଥିବାରୁ ମାମଲାର ଚାର୍ଜଫ୍ରେମ୍‌ ହେବାରେ ସମସ୍ୟା ହେଉଥିବା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କହିଛନ୍ତି। ଅନ୍ୟ ପଟେ ପରୀର ବାପା ଓ ମା’ ଏସ୍‌ଆଇଟି ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି। ଏହି ମାମଲାର ଚାର୍ଜସିଟ୍‌ ଦାଖଲ ସରିଥିବା ବେଳେ ପରୀର ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୀଡ଼ିତାଙ୍କ ବାପା, ମା’ ହିସାବରେ ସେମାନଙ୍କ ଜମାନବନ୍ଦୀ ଏସ୍‌ଆଇଟି ଗ୍ରହଣ କରିନଥିବାରୁ ଏହି ଦମ୍ପତି ମଧ୍ୟ ଚିଲ୍‌ଡ୍ରେନ୍‌ସ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଏହା ଚାର୍ଜଫ୍ରେମ୍‌ରେ ବାଧକ ସାଜୁଥିବା ଅନୁମାନ କରାଯାଉଛି। ଅପରପକ୍ଷେ ନାବାଳକ ଅପରାଧ ମାମଲା ପରିଚାଳନା କରୁଥିବା‌ ସରକାରୀ ଓକିଲ ଅନୱାର ମଲ୍ଲିକ କରୋନା ପାଇଁ କୋର୍ଟ ବନ୍ଦ ଥିବାରୁ ଚାର୍ଜଫ୍ରେମ୍‌ ହୋଇପାରୁନଥିବା କହିଛନ୍ତି। ତେବେ କୋର୍ଟ ମାର୍ଚ ୨୨ ପୂର୍ବରୁ ବନ୍ଦ ହୋଇଛି, ଏହା ପୂର୍ବରୁ ଏକାଧିକ ତାରିଖ ହୋଇଥିଲେ ମଧ୍ୟ ଚାର୍ଜ ଫ୍ରେମ୍‌ ହୋଇନଥିବାରୁ ଆଇନଜୀବୀ ଶ୍ରୀ ଦାଶ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରକୃତ ଅଭିଯୁକ୍ତକୁ ଗିରଫ କରାଯାଇନଥିବା ଅଭିଯୋଗ କରି ପରୀ ବାପା, ମା’ ସୁପ୍ରିମକୋର୍ଟଙ୍କ ସାହାରା ‌‌ଲୋଡ଼ିଛନ୍ତି। ଅନ୍ୟପକ୍ଷ‌େର, ସିବିଆଇ ତଦନ୍ତ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ କୌଣସି କାରଣରୁ ଏହା ଆସନ୍ତା ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଖବର ମିଳିଛି।

The post ପରୀ ହତ୍ୟାକାଣ୍ଡ ପୂରିଲା ବର୍ଷେ ‘ଚାର୍ଜ ଫ୍ରେମ୍‌’କୁ ଅପେକ୍ଷା first appeared on Sambad.

from ଜିଲ୍ଲା | Sambad https://ift.tt/3ialg43