
ବାଲୁଗାଁ : ସାଇବର ଠକମାନଙ୍କ ଶିକାର ହେଉଛନ୍ତି ବାଲୁଗାଁ,ବାଣପୁର ଓ ଚିଲିକା ଅଞ୍ଚଳର ଯୁବ ସମାଜ। ବିଦେଶରେ ମୋଟା ଅଙ୍କର ଦରମାରେ ଚାକିରି କରିବାର ପ୍ରଲୋଭନ ଦେଖାଇ ଟଙ୍କା ଠକି ନେଉଛନ୍ତି। ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡ଼ି ଗ୍ରାମର ଅନେକ ଯୁବକ ଠକାମୀର ଶିକାର ହୋଇଛନ୍ତି। ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରଭରତ ମାଝୀଙ୍କ ପୁଅ ଅନିଲ ମାଝୀ ଏଭଳି ଠକାମୀର ଶିକାର ହୋଇଛନ୍ତି।
ଅନିଲ ମାଝୀ ମୁମ୍ବାଇସ୍ଥିତ ଟାଟା କମ୍ପାନିରେ ସିଭିଲ୍ ଇଞ୍ଜିନିୟର୍ ଭାବେ କାର୍ଯ୍ୟ କରନ୍ତି। ଗତ ଜୁନ ମାସ ୭ ତାରିଖ ଦିନ ତାଙ୍କ ମୋବାଇଲ୍କୁ ବିଦେଶରେ ଚାକିରି କରିବା ପାଇଁ ଏକ ମେସେଜ୍ ଆସିଥିଲା। ଏହି ମେସେଜ୍ ପାଇଁ ଅନିଲ ଖୁସି ହୋଇ ଯାଇଥିଲେ। ଦୁବାଇରେ ଥିବା ଅଲ୍ସଫର୍ ସିଭିଲ ଇଂଜିନିୟରିଂ ଏଲ୍ଏଲ୍ବି କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ଭାବରେ କରନ ସିଂହ ତାଙ୍କୁ ହ୍ବାଟ୍ସ ଆପ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ଦୁବାଇ କମ୍ପାନିରେ ମାସକୁ ୭୦ ହଜାର ଟଙ୍କା ଦରମା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କମ୍ପାନିର ନିୟମ ଅନୁଯାୟୀ ୧୦ ହଜାର ଟଙ୍କା ଡିପୋଜିଟ୍ କରିବା ପାଇଁ ଅନିଲକୁ ପରାମର୍ଶ ଦେଇଥିଲେ ଠକ କରନ ସିଂହ। ଚାକିରି ପାଇଁ ଏକ ଇଣ୍ଟରଭ୍ୟୁ ହ୍ବାଟ୍ସ ଆପ୍ ମାଧ୍ୟମରେ କରାଯିବା ପରେ ଏଥିରେ କୃତକାର୍ଯ୍ୟ ହୋଇଛି ବୋଲି ମେସେଜ୍ ଆସିବା ପରେ ଅନିଲଙ୍କ ବିଶ୍ୱାସ ଜନ୍ମି ଥିଲା। ଦୁବାଇ ଯିବା ପାଇଁ ଫ୍ଲାଇଟ୍ ଟିକେଟ୍ ଓ ଭିସା ପାଇଁ ସେ ୩ଟି ପର୍ଯ୍ୟାୟରେ ୭୦ ହଜାର ଟଙ୍କା ଦେଇଥିଲେ। ଦୁବାଇ ଯିବା ପୂର୍ବରୁ ଅନିଲ ଟାଟା କମ୍ପାନିରୁ ଇସ୍ତଫାପତ୍ର ଦେଇ ଅନିଲ ନିଜ ଗ୍ରାମକୁ ଆସିଥିଲେ। ସାଇବର ଠକ ଶ୍ରୀ ସିଂହ ତାଙ୍କୁ ଆହୁରି ଟଙ୍କା ମାଗିବାରୁ ଅନିଲଙ୍କ ମନରେ ସନ୍ଦେହ ହୋଇଥିଲା। ସେ ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ଏହାର ଅନୁସଂଧାନ କରିବା ବେଳେ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଶୁକ୍ରବାର ଦିନ ସେ କଟକ ସାଇବର୍ ସେଲ୍ ସହ ବାଲୁଗାଁ,ବାଣପୁର ଥାନାରେ ଅଭିଯୋଗ କରିଛନ୍ତି।
The post ସାଇବର୍ କ୍ରାଇମ୍: ବିଦେଶରେ ଚାକିରି ଲୋଭ ଦେଖାଇ ଠକି ନେଲେ ୭୦ ହଜାର ଟଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/3dFbPs1
0 Comments