ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମେନପୁର ଥାନା ଅଂଚଳରେ ଜଣେ ବ୍ୟକ୍ତିକୁ ପୁଲିସ ଇନ୍‌ଫର୍ମର ଦର୍ଶାଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ମୃତକ ଜଣକ ପର୍ଶୁରାମ ଭୁଜିଆ (୩୫) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ନକ୍ସଲମାନେ ପର୍ଶୁରାମ ଭୁଜିଆ (୩୫) ନାମକ ବ୍ୟକ୍ତିକୁ ଅପହରଣ କରି ଆମାପାରା ପାହାଡ଼ ଉପର ଜଙ୍ଗଲକୁ ନେଇଥିଲେ। ସେଠାରେ ପୁଲିସ ଇନ୍‌ଫର୍ମର ଦର୍ଶାଇ ପ୍ରଥମେ ପ୍ରଜାକୋର୍ଟରେ ଦଣ୍ଡ ଦେଇଥିଲେ। ପରେ ଧାରୁଆ ଅସ୍ତ୍ରରେ ପର୍ଶୁରାମଙ୍କୁ ହତ୍ୟା କରିଥିଲେ। ଘଟଣାସ୍ଥଳରେ ଓଡ଼ିଆରେ ଲେଖା ଥିବା ପୋଷ୍ଟର ମିଳିଥିବାରୁ ଓଡ଼ିଶାର ନକ୍ସଲମାନେ ଏହି କାଣ୍ଡ ଭିଆଇଥିବା ପୁଲିସ ସନ୍ଦେହ କରୁଛି। ପୋଷ୍ଟରରେ ଉଲ୍ଲେଖ ରହିଛି ଯେ ଓଡ଼ିଶାରୁ ପର୍ଶୁରାମ ପୁଲିସର ଇନ୍‌ଫର୍ମର ଭାବେ କାମ କରୁଥିଲା। ତେଣୁ ସେ ଦଣ୍ଡ ପାଇଲା। ଆଗକୁ ଯିଏ ବି ପୁଲିସର ଇନ୍‌ଫର୍ମର ପାଲଟିବ, ତାକୁ ମଧ୍ୟ ଏଭଳି ମୃତ୍ୟୁଦଣ୍ଡ ମିଳିବ ବୋଲି ଧମକ ଦିଆଯାଇଛି। ଜଙ୍ଗଲରେ ହିଁ ଶବକୁ ଫିଙ୍ଗି ଚାଲିଯାଇଥିଲେ ନକ୍ସଲ। ତେବେ ସେହି ଅଂଚଳ ଅତି ଦୁର୍ଗମ ହୋଇଥିବାରୁ ପୁଲିସ ସେଠାରେ ପହଞ୍ଚିପାରି ନାହିଁ। ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଶବ ଆଣି ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

ଅନ୍ୟପଟେ ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଆଜି ଜଣେ ନାବାଳିକା ନକ୍ସଲ ଆତ୍ମସମର୍ପଣ କରିଛି। ନାବାଳିକା ନକ୍ସଲର ବୟସ ମାତ୍ର ୧୩ ବର୍ଷ ବୋଲି ପୁଲିସ କହିଛି। ଆବୁଝମାଡ଼ା ଡିଭିଜନର ନକ୍ସଲମାନେ ଏହି ନାବାଳିକାର ପରିବାରକୁ ଡରାଇ ଧମକାଇ ସଂଗଠନରେ ସାମିଲ କରିଥିଲେ। ସଂଗଠନରେ ଯଦି ଝିଅ ସାମିଲ ନହୁଏ ତେବେ ବାପାକୁ ହତ୍ୟା କରିବୁ ବୋଲି ଧମକ ମଧ୍ୟ ଦିଆଯାଇଥିବା ପୁଲିସ ନିକଟରେ କହିଛି ନାବାଳିକା। ପୁଲିସ ଏହି ନାବାଳିକାକୁ ପାଠ ପଢ଼ାଇବା ସହ ଆତ୍ମନିର୍ଭରଶୀଳ ପାଇଁ ସମସ୍ତ ପ୍ରକାର ତାଲିମ ପ୍ରଦାନ କରିବ ବୋଲି କହିଛି।

The post ପୁଲିସ ଇନ୍‌ଫର୍ମର ଦର୍ଶାଇ ଜଣକୁ ହତ୍ୟା, ଛତିଶଗଡ଼ରେ ନାବାଳିକା ନକ୍ସଲର ଆତ୍ମସମର୍ପଣ first appeared on Sambad.

from ଜିଲ୍ଲା | Sambad https://ift.tt/3igO6jv