ଗୋଳନ୍ଥରା : ଭାରତୀୟ ବିଜ୍ଞାନ ଶିକ୍ଷା ଅନୁସନ୍ଧାନ ଓ ଗବେଷଣା କେନ୍ଦ୍ର (ଆଇଜର୍) କୋଠା ନିର୍ମାଣ କାମ ସମୟସୀମା ମଧ୍ୟରେ ଶେଷ ସହ ହସ୍ତାନ୍ତର ହେବା ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ଭାରତ ସରକାରଙ୍କ ଅଧୀନରେ ଚାଲିଥିବା ସାତଟି ଗବେଷଣା କେନ୍ଦ୍ର ମଧ୍ୟରୁ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ଆଇଜର୍ ଅନୁଷ୍ଠାନର ଅସ୍ଥାୟୀ କ୍ୟାମ୍ପସ୍ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ଆଇଟିଆଇରେ ଚାଲିଛି। ବ୍ରହ୍ମପୁର ଉପକଣ୍ଠ ଲଉଡ଼ିଗାଁ ନିକଟରେ ଏହାର ନିଜସ୍ବ କୋଠା କାମ ୨୦୦ ଏକର ଜମି ଉପରେ ଚାଲିଛି। କିନ୍ତୁ କୋଠା କାମ ମନ୍ଥର ଗତିରେ ଚାଲିଥିବାରୁ ନିର୍ଦ୍ଧାରିତ ସମୟରେ ଏହା ଶେଷ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

୬୯୪ କୋଟି ଟଙ୍କା ବ୍ୟୟରେ କ୍ୟାମ୍ପସ୍‌ର କୋଠା କାମ ୨୦୧୯ ମସିହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ଶେଷ କରିବାକୁ ଡେଡ୍‌ଲାଇନ୍ ଜାରି ହୋଇଥିଲା। ‘ଏନ୍‌କେଜି’ ନାମକ ଏକ ଠିକା ସଂସ୍ଥା ଏହି କାମ ହାତକୁ ନେଇଛି। ହେଲେ ଦେଢ଼ବର୍ଷ ହେଲା କୋଭିଡ୍ ମହାମାରୀର ପ୍ରାଦୁର୍ଭାବ ଯୋଗୁଁ କାମ ଆଖିଦୃଶିଆ ଭାବେ ଆଗେଇପାରୁନି। ଏହି କାର୍ଯ୍ୟ ୩୦ ମାସ ମଧ୍ୟରେ ସାରିବାକୁ ‘ଏନ୍‌କେଜି’ ସହିତ ଚୁକ୍ତି ହୋଇଥିଲା। ଏହାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ୩୬ ମାସ ମଧ୍ୟରେ କାମ ଶେଷ ହେବା ସମ୍ଭାବନା ନଥିବା ବେଳେ ଆଉ ଅଧିକ ୬ ମାସ ଲାଗିଯାଇପାରେ ବୋଲି ଆକଳନ କରାଯାଉଛି।

‘ଏନ୍‌କେଜି’ ଠିକା ସଂସ୍ଥାର ଶାଖା ପରିଚାଳକ ବିନୋଦ କୁମାର କହିଛନ୍ତି, ସମୟ ସୀମା ମଧ୍ୟରେ ୭ରୁ ୮ଟି କୋଠା ନିର୍ମାଣ କରିବା ଲାଗି ଯୋଜନା ଥିଲା। କିନ୍ତୁ କରୋନା ମହାମାରୀର କଟକଣା ଯୋଗୁଁ ବିଳମ୍ବ ହେଉଛି। ବର୍ତ୍ତମାନ କାର୍ଯ୍ୟକୁ ପୁଣି ତ୍ବରାନ୍ବିତ କରାଯାଉଛି। ଯଦି ପୁଣି ଆଗକୁ କଟକଣା ଆରମ୍ଭ ‌ହୁଏ, ତା ହେଲେ ଶ୍ରମିକ ମିଳିବା କଷ୍ଟସାଧ୍ୟ ହେବ। ଏଥିପାଇଁ ଆବଶ୍ୟକ ପଡ଼ିଲେ ସରକାରଙ୍କ ସହାୟତା ନିଆଯିବ। ୨୦୦ ଏକର ଜମିରେ କ୍ୟାମ୍ପସ୍ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ୧୫୦ ଏକର ଜମି ଉପରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଦୈନିକ ପାଖାପାଖି ୭୦୦ କୁଶଳୀ ଓ ଅଣକୁଶଳୀ ଶ୍ରମିକ କାମ କରୁଛନ୍ତି। ଅସ୍ଥାୟୀ ଭାବେ ଆଇଟିଆଇ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କୁ ୪ଟି ବିଭାଗ (ଜୈବ ବିଜ୍ଞାନ, ରାସାୟନିକ ବିଜ୍ଞାନ, ଗାଣିତିକ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ)ରେ ଶିକ୍ଷାଦାନ କରାଯାଉଛି। ଆରମ୍ଭରୁ ଆଜି ସୁଦ୍ଧା ୬୫୦ ଜଣ ପିଲା ପଢ଼ୁଛନ୍ତି।

The post ତଥାପି ସରିବନି ଆଇଜର୍ କୋଠା କାମ first appeared on Sambad.

from ଜିଲ୍ଲା | Sambad https://ift.tt/3xlGwu7