ରେମୁଣା/ବାଲେଶ୍ବର : ବାଲେଶ୍ବର ଇମାମି ପେପର୍‌ ମିଲ୍‌ର ଜଣେ ପୂର୍ବତନ କର୍ମଚାରୀ ବୁଧବାର ଦିନ କ୍ୟାମ୍ପସ୍‌ ଭିତରେ ପଶି କଂପାନିର ନିର୍ଦ୍ଦେଶକ (ଅପରେସନ୍‌) ସୁଶିଲ ଖୈତାନ, ସଭାପତି ଆଶିଷ ଗୁପ୍ତା, ଏମ୍‌ବିଏସ୍‌ ନାୟରଙ୍କ ସମେତ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆକ୍ରମଣରେ ସହାୟକ ବେଣୁଧର ରାଉଳ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସୁରେନ୍ଦ୍ର ଜେନାଙ୍କୁ ପୁଲିସ କାବୁ କରିବା ସହ ତାଙ୍କଠାରୁ ଭୁଜାଲି ଜବତ କରିଛି।

ସୂଚନା ମୁତାବକ ୩ ବର୍ଷ ତଳେ ବିଶୃଙ୍ଖଳା ଯୋଗୁଁ ସୁରେନ୍ଦ୍ର ଓ ତାଙ୍କର କେତେକ ସହଯୋଗୀଙ୍କୁ କଂପାନିରୁ ଛଟେଇ କରାଯାଇଥିଲା। ପରବର୍ତ୍ତୀ ସମୟରେ ଛଟେଇ କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କୁ ପୁନଃଅବସ୍ଥାପିତ କରାଯାଇଥିବାବେଳେ ସୁରେନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇନଥିଲା। ଏ ନେଇ ସୁରେନ୍ଦ୍ର କଂପାନି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଫେରାଦ ହୋଇ କୌଣସି ସୁଫଳ ନ ପାଇବାରୁ ପ୍ରତିଶୋଧପରାୟଣ ହୋଇପଡ଼ିଥିଲେ। ବୁଧବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ସେ ଭୁଜାଲି ଧରି କ୍ୟାମ୍ପସ୍‌କୁ ପଶିବା ପରେ ନିର୍ଦ୍ଦେଶକ ସୁଶିଲ୍‌ଙ୍କ ଚାମ୍ବରକୁ ପଶି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପାଖରେ ଥିବା ଅଫିସ ସହାୟକ ବେଣୁଧର ରାଉଳ, ସଭାପତି ଆଶିଷ ଗୁପ୍ତା, ଏମ୍‌ବିଏସ୍‌ ନାୟର ଅଟକାଇବାକୁ ଚେଷ୍ଟା କରିବାବେଳେ ସମସ୍ତଙ୍କୁ ଭୁଜାଲିରେ ହାଣିଥିଲେ ସୁରେନ୍ଦ୍ର। ତାଙ୍କର ଉଗ୍ର ରୂପ ଦେଖି ଅନ୍ୟମାନେ ଜୀବନ ବିକଳରେ ଦୌଡ଼ିଥିଲେ। ଏହି ଘଟଣାକୁ ନେଇ କଂପାନି ପରିସରରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ପରେ ସଂସ୍ଥାର ସୁରକ୍ଷାକର୍ମୀମାନେ ସୁରେନ୍ଦ୍ରଙ୍କୁ କାବୁ କରିଥିଲେ। ଖବର ପାଇ ନୀଳଗିରି ଏସ୍‌ଡିପିଓ ରିତେଶ ମହାପାତ୍ର, ରେମୁଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ପୁଲିସ କାବୁ କରିବା ସହ ଆକ୍ରମଣରେ ବ୍ୟବହୃତ ଭୁଜାଲିକୁ ଜବତ କରି ତାଙ୍କୁ ପଚରାଉଚରା କରୁଛି। ଘଟଣାର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ ପରିସରକୁ ନେଇଛି ପୁଲିସ।

ଅନ୍ୟପଟେ ଏହି ଘଟଣାକୁ ଇମାମି ପେପର କର୍ମଚାରୀ ସଂଘ ତୀବ୍ର ବିରୋଧ କରିଛି। ସଂଘ ସଭାପତି ଶୁଭେନ୍ଦୁ ମଙ୍ଗରାଜଙ୍କ ନେତୃତ୍ବରେ ବହୁ କର୍ମଚାରୀ ଏକତ୍ର ହୋଇ ଧାରଣା ଦେବା ସହ ନିନ୍ଦା କରିଛନ୍ତି। ଘଟଣା ପଛରେ ଅନ୍ୟମାନଙ୍କର ହାତ ରହିଛି। ଜିଲ୍ଲାର ସମସ୍ତ ଶିଳ୍ପସଂସ୍ଥା ବନ୍ଦ ଥିବା ବେଳେ ଏକମାତ୍ର ଅଗ୍ରଣୀ ଶିଳ୍ପସଂସ୍ଥା ଚାଲୁ ରହିଛି। ସଂସ୍ଥାକୁ ବନ୍ଦ କରିବାକୁ କେତେକ କୁଚକ୍ରୀଙ୍କ ଏହା ଏକ ଷଡ଼ଯନ୍ତ୍ର ବୋଲି ସଭାପତି ଶ୍ରୀ ମଙ୍ଗରାଜ କହିଛନ୍ତି। ଇମାମି ପେପର ମିଲ୍‌ ମଜ୍‌ଦୁର ୟୁନିୟନ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିଛି। ତୁରନ୍ତ ଅଭିଯୁକ୍ତଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ୟୁନିୟନ୍‌ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, କାର୍ଯ୍ୟକାରୀ ସଭାପତି ପ‌ଦ୍ମଲୋଚନ ନାୟକ, ସାଧାରଣ ସମ୍ପାଦକ ଭବାନନ୍ଦ ଶତପଥୀ ପ୍ରମୁଖ ଦୃଢ଼ ଦାବି କରିଛନ୍ତି। ସେହିପରି ଇମାମି ପେପର ମିଲ୍‌ ମଜ୍‌ଦୁର ସଂଘ ପକ୍ଷରୁ ସଭାପତି ତଥା ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ଏହାକୁ ନିନ୍ଦା କରିଛନ୍ତି।

The post ଇମାମି ପେପର ମିଲ୍‌ରେ ଉନ୍ମତ୍ତ କାଣ୍ଡ: ଛଟେଇ କର୍ମଚାରୀଙ୍କ ଭୁଜାଲି ଚୋଟରେ ୪ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3wB97dH