
ପାତ୍ରପୁର: ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତିଆପଲ୍ଲୀ ରେଞ୍ଜ ତୁରୁବୁଡ଼ି ପଞ୍ଚାୟତ ବାଘଲଟି ବାସଚ୍ୟୁତ କଲୋନି ନିକଟରେ ବୃକ୍ଷରୋପଣକୁ ନେଇ ଆଦିବାସୀ ଓ ବନ ବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଦିବସୀମାନେ ୭ହଜାର ବୃକ୍ଷ ଉପାଡ଼ି ଦେଇଥିବା ନେଇ ବନ ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ବୋଲି ରେଞ୍ଜର୍ ରଜତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ବାସଚ୍ୟୁତ କଲୋନି ବେଙ୍ଗେଇସାହି ନିକଟରେ ବନ ବିଭାଗ ଚଳିତ ବର୍ଷ ପ୍ରାୟ ଦୁଇ ମାସ ହେଲା ବୃକ୍ଷରୋପଣ ଆରମ୍ଭ କରିଛି। ୭୫ ହେକ୍ଟର୍ ଜମିରେ ପନ୍ଦର ହଜାର ବୃକ୍ଷରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମନରେଗା ଯୋଜନାରେ ଚଳିତ ବର୍ଷ ଜମି ସଫେଇ ସହ ଚାରାରୋପଣ ଆରମ୍ଭ ହୋଇଥିଲା। ଆଜି ଏହି ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟ ଚାଲିଥିବା ବେଳେ ବେଙ୍ଗେଇସାହି ବାସିନ୍ଦା ପହଞ୍ଚି ଏହାର ପ୍ରତିବାଦ କରିବା ସହ ୭ହଜାର ଗଛ ଉପାଡ଼ି ଦେଇଥିଲେ। ଏହାସହ ଫଳକ ବି ଭାଙ୍ଗି ଦେଇଥିଲେ। ସୂଚନା ପାଇ ପୁଲିସ ପହଞ୍ଚି ଆଦିବାସୀଙ୍କୁ ବୁଝାସୁଝା କରିଥିଲା। ଏନେଇ ଡିଏଫ୍ଙ୍କୁ ଅବଗତ କରାଯାଇଥିବା ସହ ଆଦିବାସୀଙ୍କ ନାମରେ ଏତଲା ଦିଆଯାଇଥିବା ରେଞ୍ଜର୍ ସୂଚନା ଦେଇଛନ୍ତି ।
ଆଦିବାସୀଙ୍କ ଅଭିଯୋଗ ହେଉଛି, ୨୨ ବର୍ଷ ପୂର୍ବେ ସେମାନେ ବାଘଲଟି ଜଳଭଣ୍ଡାର ନିର୍ମାଣ ସମୟରେ ବାସଚ୍ୟୁତ ହୋଇ ଏହି ସ୍ଥାନରେ ରହି ଆସୁଛନ୍ତି । ଜଳଭଣ୍ଡାରରେ ପାଣି ଭର୍ତ୍ତି ପରେ ବଗଡ଼ ଚାଷ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଚାଷଜମି ଯୋଗାଇ ଦେବା ପାଇଁ ପଟ୍ଟା ମିଳିଥିଲା । କିନ୍ତୁ ଏଯାଏ ଆଦିବାସୀଙ୍କ ଜମି ଚିହ୍ନଟ ହୋଇନି। ଫଳରେ ନିକଟ ଜଙ୍ଗଲ ଏବଂ ଅନ୍ୟ ଜମିରେ ସେମାନେ ଚାଷ କରୁଥିଲେ। ଚାଷ କରାଯାଉଥିବା ଜମିରେ ବନ ବିଭାଗ ବୃକ୍ଷରୋପଣ କରାଯାଉଥିବାରୁ ସେମାନେ ଏହାକୁ ବିରୋଧ କରିଥିବା କହିଛନ୍ତି।
The post ୭୦୦୦ ଗଛ ଉପାଡ଼ି ଦେଲେ ଆଦିବାସୀ, ଏତଲା ଦେଲା ବନ ବିଭାଗ first appeared on Sambad.from ଜିଲ୍ଲା | Sambad https://ift.tt/3kwb6Oa
0 Comments