
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ରକ୍ତଭଣ୍ଡାର ଏବେ ରକ୍ତଶୁନ୍ୟ। ଜରୁରୀ ରୋଗୀଙ୍କୁ ବି ମିଳୁନି ରକ୍ତ। ଅଦଳବଦଳ କରି ରୋଗୀଙ୍କ ସଂପର୍କୀୟ ମାନେ ନେଉଛନ୍ତି ରକ୍ତ। ଏଭଳି ଜରୁରୀ ସମୟରେ ୩ଜଣ ଯୁବକ ୨ଜଣ ମହିଳାଙ୍କୁ ଅତ୍ୟନ୍ତ ଜରୁରୀ ଥିବାରୁ ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଏହି ଦୁହେଁଙ୍କ ଜୀବନକୁ ବଂଚାଇ ଦେଇଛନ୍ତି।
ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଗୁରୁତର ରକ୍ତହୀନତା ଅବସ୍ଥାରେ ଭର୍ତ୍ତି ହୋଇଥିଲେ ସନ୍ତୋଷୀ ହରିଜନ। ହିମୋଗ୍ଲୋବିନ୍ ବହୁତ କମ୍ ରହିଥିବାରୁ ତୁରନ୍ତ ସନ୍ତୋଷୀଙ୍କୁ ତିନି ୟୁନିଟ୍ ‘ବି’ ପଜିଟିଭ୍ ରକ୍ତଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ପରିବାରବର୍ଗ ବହୁ ଖୋଜାଖୋଜି କରିବା ପରେ ଚିନ୍ତାରେ ପଡ଼ିଥିଲେ। ସ୍ବେଚ୍ଛାସେବୀ କାର୍ତ୍ତିକ ରାଉତଙ୍କୁ ପରିବାର ଯୋଗାଯୋଗ କରିବା ପରେ ସେ ବାରିଣୀପୁଟର ଚନ୍ଦନ ବୁରୁଢ଼ି ଓ ସେମିଳିଗୁଡାର ପିଣ୍ଟୁ ଡାକୁଆଙ୍କୁ ଯୋଗ ଯୋଗ କରି ରକ୍ତଦାନ କରିବାକୁ ଅନୁରୋଧ କରିଥିଲେ। ଉଭୟ ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ପିଣ୍ଟୁ ୫୦କିଲୋ ମିଟର ଦୁରରୁ ନିଜ ଖର୍ଚ୍ଚରେ ଆସି ରକ୍ତଦାନ କରିଛନ୍ତି।
ସେହିଭଳି ହେମନ୍ତି ରାଉତ ଗତ କିଛି ଦିନ ହେବ ଅସୁସ୍ଥ ହେବା ସହ ରକ୍ତହୀନତାରେ ଜୟପୁର ଜିଲ୍ଲା ମୁଖ୍ୟଚିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଓ ପଜିଟିଭ୍ ରକ୍ତ ତୁରନ୍ତ ଯୋଗାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରି ରକ୍ତଭଣ୍ଡାରକୁ ବି ଆସିଥିଲେ। ତେବେ ସେଠାରେ ନ ମିଳିବା ପରେ କିଭଳି ରକ୍ତ ଯୋଗାଡ଼ କରିବେ ଚିନ୍ତାରେ ପଡ଼ିଥିଲେ। ସ୍ବେଚ୍ଛାସେବୀ କାର୍ତ୍ତିକ ଏସଂପର୍କରେ ସୂଚନା ପାଇ ବୈଦ୍ୟୁତିକ ଗଣମାଧ୍ୟମର କ୍ୟାମେରାମେନ୍ ସଂଦୀପ (ଜିତୁ)ଦଳାଇଙ୍କୁ ଅନୁରୋଧ କରିଥିଲେ। ସଂଦୀପ ଜୟପୁର ରକ୍ତଭଣ୍ଡାରକୁ ଯାଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।
ଏହା ପୂର୍ବରୁ ବି ସଂଦୀପ ୩୨ଥର ଜରୁରୀ ରୋଗୀ, ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ବି ରକ୍ତଦାନ କରିଛନ୍ତି। ଏହି ତିନି ଯୁବକ ରକ୍ତଦାନ କରି ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି। ଜରୁରୀ ରୋଗୀଙ୍କୁ ଆଗାମୀ ଦିନରେ ସେମାନେ ରକ୍ତଦାନ କରି ଜୀବନ ବଂଚାଇବା ପାଇଁ ନିଜେ ନିଜ ନିକଟରେ ପ୍ରତିଶ୍ରୃତିବଦ୍ଧ ବୋଲି ତିନି ଜଣ ଯାକ ଯୁବକ କହିଛନ୍ତି। ଯୁବବର୍ଗର ଏଭଳି ଉତ୍ସାହ ଓ ୨ୟ ପର୍ଯ୍ୟାୟ ସଂକ୍ରମଣ ଭୟକୁ ଭ୍ରୁକ୍ଷେପ ନ କରି ରକ୍ତଦାନ କରି ୨ଟି ଜୀବନ ବଂଚାଇ କରିଥିବା ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶାଂସା କରାଯାଇଛି।
The post ତିନି ବଦାନ୍ୟ ଯୁବକ ରକ୍ତଦାନ କରି ୨ମହିଳାଙ୍କ ଜୀବନ ବଂଚାଇଲେ first appeared on Sambad.from ଜିଲ୍ଲା | Sambad https://ift.tt/2Uj3Euy
0 Comments