ବରଗଡ଼: ବରଗଡ଼ ଜିଲ୍ଲାର ଅନ୍ୟତମ ପରିଚୟ ତାଲିକାରେ ନୂଆ ବସ୍‌ଷ୍ଟାଣ୍ଡ ବି ରହିଥିଲା। କିନ୍ତୁ ଘରୋଇ ବସ୍‌ ମାଲିକ ସଂଘ ଏବଂ ପ୍ରଶାସନ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଦୀର୍ଘ ଅଢ଼େଇ ବର୍ଷ ପରେ ବି ନୂଆ ବସ୍‌ଷ୍ଟାଣ୍ଡରେ ବସ୍‌ ଲାଗିନଥିଲା। ଇତିମଧ୍ୟରେ ଏହି ବିବାଦର ଅବସାନ ଘଟିଛି। ଘରୋଇ ବସ୍‌ ମାଲିକ ସଂଘ ଦେଇଥିବା ୧୫ଟି ପ୍ରସ୍ତାବ ଉପରେ ସହମତି ପରେ ବାହୁଡ଼ା ଯାତ୍ରା ଦିନରୁ ନୂଆ ବସ୍‌ଷ୍ଟାଣ୍ଡରୁ ବସ୍‌ ଗଡ଼ିଛି। ଉଦ୍‌ଘାଟନୀ ଉତ୍ସବରେ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଏସ୍‌ପି ରାହୁଲ ଜୈନ, ଘରୋଇ ବସ୍‌ ମାଲିକ ସଂଘର ଉପଦେଷ୍ଟା ଇଂ. ଦେବବ୍ରତ ମିଶ୍ର, ସଭାପତି ଭୀଷ୍ମଦେବ ଦୋରା, ସଂପାଦକ ଶେଖ୍‌ ନଜିମୁଦ୍ଦିନ, ପୁରନ ଶର୍ମା, ସହସଂପାଦକ ସୁଶାନ୍ତ ମିଶ୍ର, ସୁଶାନ୍ତ ମହାପାତ୍ର, ଏମ୍‌ଡି ଇଦ୍ରିସଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ। ଏଣିକି ନୂଆ ବସ୍‌ଷ୍ଟାଣ୍ଡରୁ ସବୁ ରୁଟ୍‌ର ବସ୍‌ ଏବଂ ଦୂରଗାମୀ ବସ୍‌ ଚଳାଚଳ କରିବ।

ଫଳରେ ପାଖାପାଖି ୫ଏକର ଇଲାକାରେ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସ୍‌ଷ୍ଟାଣ୍ଡରେ ଗହଳି ଆରମ୍ଭ ହୋଇଯାଇଛି। ୨୦୧୮ ମସିହାରୁ ଏହାର ଉଦ୍‌ଘାଟନ ହୋଇଥିଲେ ହେଁ ବସ୍‌ ମାଲିକ ସଂଘ ଏଠାରେ କୌଣସି ବସ୍‌ ପୂରାଇନଥିଲା। ବସ୍‌ଷ୍ଟାଣ୍ଡରେ ୪ଟି ନୂଆ ବସ୍‌ ବେ’, ଶୌଚାଳୟର ପୁନରୁଦ୍ଧାର ସହ ଏହାର ପରିଚାଳନା ଦାୟିତ୍ବ ସ୍ବତନ୍ତ୍ର ସଂସ୍ଥାକୁ ହସ୍ତାନ୍ତର, ସଂଘର ନୂତନ ସଭାଗୃହ ଓ କାର୍ଯ୍ୟାଳୟ ନିର୍ମାଣ, ଜବରଦଖଲ ଉ‌ଚ୍ଛେଦ, ଆଲୋକୀକରଣ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସଂଘ ଦାବି ରଖିଥିଲା।

ସେହିପରି ପୁରୁଣା ବସ୍‌ଷ୍ଟାଣ୍ଡରେ ବସ୍‌ ଡିପୋ ଓ ୱାଟର୍‌ ସର୍ଭିସିଂ ସେଣ୍ଟର, ବସ୍‌ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ, ବସ୍‌ଷ୍ଟାଣ୍ଡର ମାଲିକାନା ପୌର ପରିଷଦ ନିର୍ବାହ କରିବାକୁ ସ୍ଥିର ହୋଇଛି। ସେହିପରି ପାର୍କିଂ ଫି ସମେତ ଦୋକାନ ଭଡ଼ାକୁ ନେଇ ଥିବା ଦ୍ବନ୍ଦ୍ବ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପରେ ଦୂର ହୋଇଛି। ୧୫ଟି ପ୍ରସ୍ତାବ ଉପରେ ସହମତି ପରେ ଘରୋଇ ବସ୍‌ ମାଲିକ ସଂଘ ନୂଆ ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ ଆରମ୍ଭ କରିଛି।

The post ବାହୁଡ଼ାରୁ ନୂଆ ବସ୍‌ଷ୍ଟାଣ୍ଡରୁ ଗଡ଼ିଲା ବସ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3iztO4X