
କଟକ : କରୋନା ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ସବ୍ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ ଟ୍ରିବୁନାଲଗୁଡ଼ିକ କି ଭିଳି କାର୍ଯ୍ୟ କରିବେ ସେ ନେଇ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ଜୁଲାଇ ୩ରୁ କିଭଳି ଭାବେ କୋର୍ଟ କାର୍ଯ୍ୟ ଚାଲିବ ସେ ନେଇ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ଜୁନ୍ ୩୦ରେ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ କୋର୍ଟ କାର୍ଯ୍ୟ ସଂକ୍ରାନ୍ତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ କାର୍ଯ୍ୟ ଦିବସର ପ୍ରଥମାର୍ଦ୍ଧ ତଥା ସକାଳ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଜିଲ୍ଲା ଅଦାଲତ, ଅନ୍ୟ ନିମ୍ନ ଅଦାଲତ ଓ ଟ୍ରିବୁନାଲଗୁଡ଼ିକରେ କୋର୍ଟ କାର୍ଯ୍ୟ ହେବ। ସାକ୍ଷୀଙ୍କ ବୟାନ ରେକର୍ଡ ଛଡା ଅନ୍ୟ ସବୁ ମାମଲା ଶୁଣାଣି କରାଯିବ।
ପ୍ରଥମଥର ଅଭିଯୁକ୍ତକୁ ହାଜର କରାଯାଉଥିବା ମାମଲା ଛଡ଼ା ଅନ୍ୟ ମାମଲାଗୁଡ଼ିକ ଯଥା ସମ୍ଭବ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଶୁଣାଣି କରାଯିବ। ଦୁଇ ଡୋଜ୍ ଟିକା ନେଇଥିବା କର୍ମଚାରୀମାନେ କୋର୍ଟ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟମାନଙ୍କ କ୍ଷେତ୍ରରେ କୌଣସି ସ୍ଥିତିରେ ୫୦ ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ ନାହିଁ। କର୍ମଚାରୀମାନେ ସବୁ ବେଳେ ଡ୍ୟୁଟିରେ ଯୋଗଦେବା ପାଇଁ ପ୍ରସ୍ତୁତ ହୋଇରହିବେ। ଏହିସବୁ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ବାର୍ ଆସୋସିଏସନ୍ ଓ ଆଇନଜୀବୀଙ୍କ ସହଯୋଗ ନିଆଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଜୁଲାଇ ୩ରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ଭିତରେ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଓ ଟ୍ରିବୁନାଲ କାର୍ଯ୍ୟ କରିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
The post ସାନି ନିର୍ଦ୍ଦେଶନାମା ଜାରି, ୧୦.୩୦ରୁ ୧.୩୦ ମଧ୍ୟରେ ନିମ୍ନ ଅଦାଲତ କାର୍ଯ୍ୟ first appeared on Sambad.from ଜିଲ୍ଲା | Sambad https://ift.tt/367nxri
0 Comments