ରାଉରକେଲା : ଏଣିକି ଗୁରୁତ୍ବପୂର୍ଣ୍ଣ ସାମ୍ପୁଲ ‌ଟେଷ୍ଟ ପାଇଁ ଭୁବନେଶ୍ବର କିମ୍ବା ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡିବନି। କାରଣ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ସ୍ଥାପନା ହେବାକୁ ଯାଉଛି ସେଣ୍ଟ୍ରାଲ ପାଥୋଲ୍ୟାବ୍‌। ଖର୍ଚ୍ଚ ହେବ ପାଖାପାଖି ୨ କୋଟି ଟଙ୍କା। ଏଥି ସକାଶେ ଏନ୍‌ଏସ୍‌ପିସିଏଲ୍‌ ତା’ର ସିଏସ୍‌ଆର୍‌ ଫାଣ୍ଠିରୁ ୯୨ ଲକ୍ଷ ୪୭ ହଜାର ୯୧୮ ଟଙ୍କା ରୋଗୀ କଲ୍ୟାଣ ସମିତିକୁ ପ୍ରଦାନ କରିଛନ୍ତି। ଅବଶିଷ୍ଟ ଅର୍ଥ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ଖର୍ଚ୍ଚ ହେବ। ଅଗଷ୍ଟ ଶେଷ ସୁଦ୍ଧା ଲ୍ୟାବ୍‌ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଆର୍‌ଜିଏଚ୍‌ର ହସ୍ପନିଟାଲ୍‌ ମ୍ୟାନେଜର ମୋହିତ ଶ୍ରୀବାସ୍ତବ କହିଛନ୍ତି।

ସେଣ୍ଟ୍ରାଲ୍‌ ପାଥୋଲ୍ୟାବ୍‌ ସ୍ଥାପନ ହେବା ପରେ ଡେଙ୍ଗୁ, ଥାଇରାଡ୍‌, ହିମୋଗ୍ଲୋବିନ୍‌, ଡି. ଡାଇମର ପରି ପାଖାପାଖି ୯୯% ସାମ୍ପୁଲର ପରୀକ୍ଷା କରାଯିବ। ସୁନ୍ଦରଗଡ ଡିଏଚ୍‌ଏଚ୍‌, ବଣାଇଗଡ, କୁଆରମୁଣ୍ଡା, ବିଶ୍ରା, ନୂଆଗାଁ ସମେତ ଅନ୍ୟାନ୍ୟ ବ୍ଲକରୁ ସମସ୍ତ ପ୍ରକାର ସାମ୍ପୁଲ ଆର୍‌ଜିଏଚ୍‌ ସେଣ୍ଟ୍ରାଲ ଲ୍ୟାବ୍‌କୁ ଆସିବ। ଏଠାରେ ପରୀକ୍ଷା ସରିବା ପରେ ଅନ୍‌ ଲାଇନ୍‌ରେ ସମସ୍ତ ପିଏଚ୍‌ସି, ସିଏଚ୍‌ସିକୁ ରିପୋର୍ଟ ପଠାଯିବ। ସିଟି ସ୍କାନ, ଡାଇଲେସିସ୍‌ ପରି ସେଣ୍ଟ୍ରାଲ ପାଥୋଲ୍ୟାବ୍‌ ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ ହେବ। ରୋଗୀମାନଙ୍କୁ ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବନି। ନିକଟରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ଅନୁରୋଧକ୍ରମେ ଏନ୍‌ଏସ୍‌ସିପିଏଲ୍‌ ତା’ର ସିଏସ୍ଆର୍‌ ପାଣ୍ଠିରୁ ୯୨.୪୭ ଲକ୍ଷର ଚେକ୍‌ ଆର୍‌ଜିଏଚ୍‌ ରୋଗୀ କଲ୍ୟାଣ ସମିତିକୁ ପ୍ରଦାନ କରାଯାଇଛି।

ଏନ୍‌ଏସ୍‌ପିସିଏଲ୍‌ ଅଧିକାରୀ ସୁନ୍ଦରଗଡରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ପ୍ରଦାନ କରିଥିଲେ। ଉପସ୍ଥିତ ଥିଲେ ଆର୍‌ଜିଏଚ୍‌ର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ବାଇଁ, ଏନ୍‌ଏସ୍‌ପିସିଏଲ୍‌ର ଏଜିଏମ୍‌ (ଏଚ୍‌ଆର୍‌) ପି.କେ. ମହାପାତ୍ର, ଡିଜିଏମ୍‌ (ଏଫ୍‌ଆଣ୍ଡ ଏ) ବି. ସରକାର, ଡିଜିଏମ୍‌ (ଏଚ୍‌ଆର) ଅନୁରାଗ ଶ୍ରୀବାସ୍ତବଙ୍କ ସମେତ ଆର୍‌ଜିଏଚ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ରାଉରକେଲା ସରକାରୀ ହସ୍ପିଟାଲ ଉପରେ କେବଳ ସୁନ୍ଦରଗଡ ନୁହେଁ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡର ଅଧିକାଂଶ ରୋଗୀ ନିର୍ଭର କରୁଛନ୍ତି। ଦୈନନ୍ଦିନ ବର୍ହିବିଭାଗରେ ପାଖାପାଖି ୭୦୦ରୁ ୮୦୦, ଅନ୍ତର୍ବିଭାଗରେ ୩୦୦ରୁ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି।

The post ଆର୍‌ଜିଏଚ୍‌ରେ ହେବ ସେଣ୍ଟ୍ରାଲ ପାଥୋଲ୍ୟାବ୍‌, ଖର୍ଚ୍ଚ ହେବ ୨ କୋଟି, ଅଗଷ୍ଟ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ first appeared on Sambad.

from ଜିଲ୍ଲା | Sambad https://ift.tt/3zX9v8I