
ଟାଙ୍ଗୀ : ରାସ୍ତା ନଥିବାରୁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ୍। ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ଖଟିଆରେ ଗର୍ଭବତୀଙ୍କୁ ବୋହି ଆଣିବା ସହିତ ଆମ୍ବୁଲାନ୍ସ ଭିତରେ ମହିଳାଙ୍କର ସୁରକ୍ଷିତ ପ୍ରସବ କରାଇଛନ୍ତି। ଉଭୟ ମା ଓ ଶିଶୁ ସୁରକ୍ଷିତ ଅଛନ୍ତି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଉଛି। କିନ୍ତୁ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ବାର ବ୍ଲକ ଅଞ୍ଚଳରେ ବି ଭିତ୍ତିଭୂମିର ଏଭଳି ଦୟନୀୟ ସ୍ଥିତି ପ୍ରଶାସନିକ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି।
ସୂଚନା ଅନୁଯାୟୀ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ କରଞ୍ଜି ପଞ୍ଚାୟତ ଗୋଡ଼ଧୁଆ ଆଦିବାସୀ ଗ୍ରାମର ସୁମିତ୍ରା ପିଙ୍ଗୁଆ ନାମକ ପ୍ରସୂତିଙ୍କୁ ଡାକ୍ତରଖାନା ଆଣିବା ପାଇଁ ଆଜି ଅପରାହ୍ନରେ ଗାଁରେ ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ୍। ହେଲେ ମାଟି ରାସ୍ତାରେ ଅତଡ଼ା ଖସୁଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶିପାରିଲାନି। ପ୍ରସୂତିଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଆମ୍ବୁଲାନ୍ସଯାଏ କିପରି ଆସିବେ ସେ ନେଇ ଭାଲେଣି ପଡ଼ିଥିଲା। ଶେଷରେ ତାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିଥିଲେ ମହିଳାଙ୍କ ସ୍ୱାମୀ ଦୈତାରୀ ଓ ଆମ୍ବୁଲାନ୍ସର ତିନି କର୍ମଚାରୀ।

ରାସ୍ତା ପାର କରାଇ ଆମ୍ବୁଲାନ୍ସରେ କିଛିବାଟ ନେବା ପରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ବଢ଼ି ଯାଇଥିଲା। ଆଶା ଦିଦିଙ୍କ ସହାୟତାରେ ଆମ୍ବୁଲାନ୍ସ୍ ଫାର୍ମାସିଷ୍ଟ୍ ରଞ୍ଜନ କୁମାର ସାହୁ ସେହିଠାରେ ଅତି ସତର୍କତାର ସହ ପ୍ରସବ କରାଇଥିଲେ ଓ ସୁରକ୍ଷିତ ଭାବେ ଶିଶୁ କନ୍ୟାଟିଏ ଜନ୍ମ ହୋଇଥିଲା। ଘଟଣାସ୍ଥଳରେ ଶିଶୁ ଓ ମାଙ୍କର ଆଶୁ ଚିକିତ୍ସା କରାଯାଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା ଆମ୍ବୁଲାନ୍ସ। ଶିଶୁ ଓ ମାଙ୍କର ଚିକିତ୍ସା କରିବା ସହ ସୁରକ୍ଷିତ ଭାବେ ପ୍ରସବ କରାଇଥିବାରୁ ଫାର୍ମାସିଷ୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ ଡାକ୍ତର ଓ ଅନ୍ୟମାନେ। ଖଟିଆରେ ବୋହି ଓ ସୁରକ୍ଷିତ ଭାବେ ପିଲା ଜନ୍ମ କରାଇଥିବାରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କ ପାଇଁ ଭଗବାନ ବୋଲି କହିଛନ୍ତି ସୁମିତ୍ରାଙ୍କ ସ୍ୱାମୀ ଦୈତାରୀ। ଏହି କାର୍ଯ୍ୟରେ ଆମ୍ବୁଲାନ୍ସ୍ ଡ୍ରାଇଭରଙ୍କ ସହିତ ଗୟାଧର ମଲ୍ଲିକ, ସହକର୍ମୀ ସେକ୍ ଆଦିଲ୍ ଅହମଦ୍ ଓ ଆଶା ଦିଦି କଳ୍ପନା ନାୟକ ସହଯୋଗ କରିଥିଲେ।
The post କଟକ ଜିଲ୍ଲାରେ ବି ଦୟନୀୟ ସ୍ଥିତି: ରାସ୍ତା ନଥିବାରୁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ୍ first appeared on Sambad.from ଜିଲ୍ଲା | Sambad https://ift.tt/3wD08Zs
0 Comments