
ଜବତ ହୋଇଥିଲା ମସଲା, ହଳଦୀ, ଲଙ୍କାଗୁଣ୍ଡ, ସସ୍, ପାଣି
ବ୍ରହ୍ମପୁର : ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି ବ୍ରହ୍ମପୁର ସହର। ଏମିତି କୌଣସି ସାମଗ୍ରୀ ନାହିଁ, ଯାହାକି ବ୍ରହ୍ମପୁରରେ ନକଲି କରାଯାଇନଥିବ! ବ୍ରହ୍ମପୁର ପୁଲିସ ବିଗତଦିନରେ ଏଭଳି ବହୁ ନକଲି ସାମଗ୍ରୀ ଜବତ କରିଥିଲା। ବିଏମ୍ସିର ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ସେହି ନକଲି ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ଭୁବନେଶ୍ବରସ୍ଥିତ ଏସ୍ଏଫ୍ଟିଏଲ୍ (ଷ୍ଟେଟ୍ ଫୁଡ୍ ଟେଷ୍ଟିଂ ଲାବ୍ରୋଟାରି)କୁ ପଠାଯାଇଥିଲା। ସେହି ଖାଦ୍ୟ ନମୁନାର ରିପୋର୍ଟ ଆସିଛି। ଏସ୍ଏଫ୍ଟିଏଲ୍ର ରିପୋର୍ଟରେ ଖାଦ୍ୟ ସାମଗ୍ରୀ ନମୁନା ନିମ୍ନମାନ ଓ ବିଷାକ୍ତ ବୋଲି ଉଲ୍ଲେଖ ରହିଛି। ଏହି ରିପୋର୍ଟ ଆଧାରରେ ଚାର୍ଜସିଟ୍ ପ୍ରସ୍ତୁତ କରି କୋର୍ଟରେ ପ୍ରମାଣ ଦାଖଲ କରାଯିବ ବୋଲି ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପ୍ରାଣକେନ୍ଦ୍ର ହେଉଛି ରେଶମ ସହର ବ୍ରହ୍ମପୁର। ଏଠାରୁ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସାମଗ୍ରୀ ରପ୍ତାନି କରାଯାଇଥାଏ। ବ୍ୟବସାୟ ଦୃଷ୍ଟିକୋଣରୁ ବ୍ରହ୍ମପୁର ସହରର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ। ଲୋକଙ୍କ ବିଶ୍ବାସରେ ବିଷ ଦେଇ ଖାଦ୍ୟ ସାମଗ୍ରୀକୁ ମଧ୍ୟ ନକଲି କରିବାକୁ ପଛାଉ ନାହାନ୍ତି। ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପାଣି, ମଦ ସବୁକିଛି ନକଲି ପ୍ରସ୍ତୁତ କରାଯାଉଛି। ବ୍ରହ୍ମପୁର ପୁଲିସ ତରଫରୁ ଏହି ନକଲି ଖାଦ୍ୟ ସାମଗ୍ରୀ ଧରପଗଡ଼ ଆରମ୍ଭ କରାଯାଇଥିଲା। ଗତ ଜାନୁଆରି ମାସରେ ବଡ଼ବଜାର ପୁଲିସ ନକଲି ଲଙ୍କାଗୁଣ୍ଡ, ହଳଦୀ, ମସଲା, ସସ୍, ଘିଅ ଓ ନକଲି ପାଣି ଫ୍ୟାକ୍ଟ୍ରି ଠାବ କରିଥିଲା। ମାତ୍ର ୧୫ଦିନରେ ବ୍ରହ୍ମପୁର ପୁଲିସ ସହରର ବିଭିନ୍ନ ଥାନା ଇଲାକାରେ ଚଢ଼ଉ କରି ମୋଟ ୮ଟି ମାମଲା ରୁଜୁ କରି ୧୧ଜଣ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ସେହି ବ୍ୟବସାୟୀମାନେ ଜାମିନ୍ରେ ବାହାରି ସାରିଛନ୍ତି। ନକଲି ଖାଦ୍ୟ ସାମଗ୍ରୀ ଜବତ ମାମଲାକୁ କୋର୍ଟରେ ପ୍ରମାଣିତ କରିବା ପାଇଁ ଏସ୍ଏଫ୍ଟିଏଲ୍କୁ ନମୁନା ପରୀକ୍ଷା ନିମନ୍ତେ ପଠାଯାଇଥିଲା। ବର୍ତ୍ତମାନ ସେହି ନମୁନାର ରିପୋର୍ଟ ଆସିଛି। ସମସ୍ତ ନମୁନା ରିପୋର୍ଟରେ ନିମ୍ନମାନ ଓ ବିଷାକ୍ତ ବୋଲି ଉଲ୍ଲେଖ ରହିଛି। ଖାଦ୍ୟର ମାନ ଅତ୍ୟନ୍ତ ନିମ୍ନସ୍ତରର ହୋଇଥିବା ବେଳେ ତାହା ଦୀର୍ଘଦିନ ପର୍ଯ୍ୟନ୍ତ ବ୍ୟବହାର କଲେ ଶରୀର ପାଇଁ କ୍ଷତିକାରକ ହେବ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ପାଣିର ନମୁନା ମଧ୍ୟ ନିମ୍ନମାନର ବୋଲି ଏସ୍ଏଫ୍ଟିଏଲ୍ ତରଫରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।
ଅସାଧୁ ବ୍ୟବସାୟୀମାନେ ଏଭଳି ନକଲି ସାମଗ୍ରୀ ବିକ୍ରି କରି ବହୁ ଟଙ୍କା ଅର୍ଜନ କରୁଛନ୍ତି। ପୁଲିସ ଦ୍ବାରା ଗିରଫ ହୋଇଥିବା ଅସାଧୁ ବ୍ୟବସାୟୀମାନେ କୋର୍ଟରୁ ଜାମିନ୍ ପାଇ ସାରିଛନ୍ତି। ପୁଲିସ ଏବେ ବି ସେମାନଙ୍କ ଗତିବିଧି ଉପରେ ନଜର ରଖିଛି। ଏଭଳି ଅସାଧୁ କାରବାର ଜରିଆରେ ଅର୍ଜନ କରିଥିବା ସମ୍ପତ୍ତି ଜବତ କରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଛି। ଏବେ ଏସ୍ଏଫ୍ଟିଏଲ୍ର ରିପୋର୍ଟ ଆସିଯିବା ପରେ ଅସାଧୁ ବ୍ୟବସାୟୀମାନେ ଆଉ ଖସି ପାରିବେ ନାହିଁ। କୋର୍ଟରେ ବିଭିନ୍ନ ଦିଗରୁ ପ୍ରମାଣ ଦାଖଲ କରିବା ପାଇଁ ପୁଲିସ ତରଫରୁ ପ୍ରସ୍ତୁତି ଚାଲିଛି।
The post ନକଲି ଖାଦ୍ୟ ସାମଗ୍ରୀ ଜବତ ମାମଲା: ଏସ୍ଏଫ୍ଟିଏଲ୍ ରିପୋର୍ଟରେ ବିଷାକ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3hMzwQl
0 Comments