ସିନ୍ଧେକେଲା : ସିନ୍ଧେକେଲା ବିଦ୍ୟୁତ ଗ୍ରିଡ୍‌ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ ଜଣାଇ ଆସୁଥିଲେ ହେଁ ବିଭାଗ ସବୁ ଜାଣି ଚୁପ ରହୁଛି। ଏହାକୁ ନେଇ ସୋମବାର ଉନ୍ଦେର ନଦୀ ଉପାନ୍ତ ଅଞ୍ଚଳ କୃଷକ ବିକାଶ କ୍ରିୟାନୁଷ୍ଠାନ କମିଟି ସିନ୍ଧେକେଲା ବିଦ୍ୟୁତ ଗ୍ରିଡ୍‌ ଅଫିସ ଘେରାଉ କରିଥିଲା।

କମିଟିର ସଭାପତି ଉମାକାନ୍ତ ସାହୁ ଓ ସମ୍ପାଦକ ରୂପେଶ ବେହେରାଙ୍କ ନେତୃତ୍ବରେ ଦ୍ରୌପଦ ନାଏକ, ପୂର୍ବତନ ସରପଞ୍ଚ ନରେଶ ଅଗ୍ରୱାଲ, ଅଖିଳ ତାଣ୍ଡି, ହେମନ୍ତ ଛୁରା, ମୋହନ ସାହୁ, ନରେନ୍ଦ୍ର ବଗର୍ତ୍ତି, କ୍ଷେତ୍ର ବେହେରା, ଦିଲୀପ ଦୀପ, ଭବାନୀ ନାଗ, ଭକ୍ତବନ୍ଧୁ ବେହେରା ପ୍ରମୁଖ ସାମିଲ ଥିଲେ। ସିନ୍ଧେକେଲା ଅଞ୍ଚଳର ବିଦ୍ୟୁତ ଯୋଗାଣ ସମସ୍ୟାର ସ୍ଥାୟୀ ପ୍ରତିକାର, ପ୍ରସ୍ତାବିତ ୧୩୨ କେଭି ଗ୍ରିଡ ସ୍ଥାପନ, ଖଡ଼ିଆଳ ପରିବର୍ତ୍ତେ ଟିଟିଲାଗଡ଼ରୁ ବିଦ୍ୟୁତ ଯୋଗାଣ, ସିନ୍ଧେକେଲାରେ ନିଯୁକ୍ତି ପାଇ ଟିଟିଲାଗଡ଼ରୁ ପରିଚାଳନା କରୁଥିବା କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ସିନ୍ଧେକେଲାରେ ଅବସ୍ଥାପିତ କରିବା ଆଦି ଦାବି କରାଯାଇଥିଲା।

ଲୋକଙ୍କ ଅସନ୍ତୋଷକୁ ନଜରରେ ରଖି ସୋମବାର ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ଆନ୍ଦୋଳନସ୍ଥଳକୁ ଆସି ନଥିଲେ। ପରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ପହଞ୍ଚି ଦାବିପତ୍ର ଗ୍ରହଣ କରିଥିଲେ। ସାତଦିନ ମଧ୍ୟରେ ଦାବି ପୂରଣ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବ‌ୋଲି କମିଟି ଚେତାବନୀ ଦେଇଛି।

The post ବିଦ୍ୟୁତ୍‌ ଯୋଗାଣ ସମସ୍ୟାର ସ୍ଥାୟୀ ସମାଧାନ ଦାବି, ସିନ୍ଧେକେଲା ଗ୍ରିଡ୍‌ ଅଫିସ ଘେରିଲା କୃଷକ କମିଟି first appeared on Sambad.

from ଜିଲ୍ଲା | Sambad https://ift.tt/3kBw7ae