
ଭୋଗରାଇ : ବାଲେଶ୍ବରର ପୂର୍ବତନ ଜିଲ୍ଲାପାଳ ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଦାୟିତ୍ବ ମିଳିବା ପରେ ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ନେଇ ନୂତନ ଆଶା ଉଜ୍ଜୀବିତ ହୋଇଛି। ଶ୍ରୀ ବୈଷ୍ଣବଙ୍କୁ ଆଜି ଟେଲିଫୋନ୍ ଯୋଗେ ଶୁଭେଚ୍ଛା ଜଣାଇ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଜିଲ୍ଲାର ରେଳ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି।
ବହୁ ପ୍ରତୀକ୍ଷିତ ଜଳେଶ୍ବର-ଦୀଘା ରେଳପଥ ପ୍ରକଳ୍ପ ପାଇଁ ଲଗାତାର ୫ ବର୍ଷ ଧରି କେନ୍ଦ୍ର ରେଳ ବଜେଟ୍ରେ କୌଣସି ଅର୍ଥ ବ୍ୟୟବରାଦ ହୋଇନଥିବା ଶ୍ରୀ ଦାସ ରେଳମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ପ୍ରସ୍ତାବିତ ୪୧ କିମି ରେଳପଥ ନିର୍ମାଣ ପାଇଁ ୨୦୧୧ ମସିହା ଆର୍ଥିକ ବର୍ଷ ପ୍ରଥମ ପର୍ଯ୍ୟାୟରେ ତତ୍କାଳୀନ କେନ୍ଦ୍ର ସରକାରଙ୍କ ରେଳ ବଜେଟ୍ରେ ୧ କୋଟି ୫୦ ଲକ୍ଷ ଟଙ୍କା, ପରେ ୨୦୧୨-୧୩ରେ ୨ କୋଟି, ୨୦୧୩-୧୪ରେ ୨ କୋଟି, ୨୦୧୪-୧୫ରେ ୫ କୋଟି ଏବଂ ୨୦୧୫-୧୬ରେ ରେଳ ବଜେଟ୍ରେ ମାତ୍ର ୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ତା’ ପରଠୁ ଏହି ରେଳ ଲାଇନ୍ ପାଇଁ ଟଙ୍କାଟିଏ ବ୍ୟୟବରାଦ ହୋଇନାହିଁ। ଯଦିଓ ଦକ୍ଷିଣ ପୂର୍ବ ରେଳ ଡିଭିଜନ ଖଡ଼ଗପୁର ତରଫରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି, କିନ୍ତୁ ଅନୁଦାନ ଅଭାବରୁ ଏହି ପ୍ରକଳ୍ପ ଆଗେଇ ପାରୁନାହିଁ। ଏହି ରେଳପଥ ନିର୍ମାଣ ହେଲେ ପଶ୍ଚିମବଙ୍ଗ ଦୀଘା ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ସହିତ ଓଡ଼ିଶାର ଉଦୟପୁର, ତାଳସାରି ବେଳାଭୂମି, ବିଚିତ୍ରପୁର ଇକୋ ଟୁରିଜିମ୍, ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱର, ବାବା ଭୂଷଣ୍ଡେଶ୍ଵର ସହିତ ନିର୍ମାଣଧୀନ ସୁବର୍ଣ୍ଣରେଖା ବନ୍ଦର ସହିତ ସିଧାସଳଖ ସଂଯୋଗ ସ୍ଥାପନ ହୋଇପାରିବ। ଉଭୟ ରାଜ୍ୟର ଅର୍ଥନୈତିକ, ସାମାଜିକ ଉନ୍ନତିରେ ମଧ୍ୟ ଏହି ପ୍ରକଳ୍ପ ସହାୟକ ହୋଇପାରିବ ବୋଲି ଶ୍ରୀ ଦାସ ରେଳମନ୍ତ୍ରୀଙ୍କୁ ସୂଚାଇଥିବା କହିଛନ୍ତି। ଆଲୋଚନା ବେଳେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଜଳେଶ୍ବର-ଦୀଘା ରେଳପଥ ସହିତ ଓଡ଼ିଶାର ରେଳ ବିକାଶ ଉପରେ ଗୁରୁତ୍ଵ ଦେବେ ବୋଲି ବିଧାୟକ ଶ୍ରୀ ଦାସଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
The post ଜଳେଶ୍ବର-ଦୀଘା ରେଳପଥ ପାଇଁ ପ୍ରତିଶ୍ରୁତି ଦେଲେ ବୈଷ୍ଣବ first appeared on Sambad.from ଜିଲ୍ଲା | Sambad https://ift.tt/3hTFYFn
0 Comments