
ନବରଙ୍ଗପୁର: ପୁଅ ଅନ୍ୟ ଜାତିରେ ବିବାହ କରିବାରୁ ବାପା ଓ ପୁଅ ମଧ୍ୟରେ ବିବାଦ। ପୁଅର ଧକ୍କାରେ ବାପାର ମୃତ୍ୟୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଥାନା ଅନ୍ତର୍ଗତ ବାଘସିଉନି ଗ୍ରାମରେ। କୋମଳ ଲୋଚନ ଅମାନତ୍ୟ (୬୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ କେଶବ ଅମାନତ୍ୟ(୨୬)କୁ ପୁଲିସ ଥାନାରେ ଅଟକ ରଖିଛି।
ମିଳିଥିବା ସୂଚନା ଅନୁଯାୟୀ କୋମଳ ଲୋଚନଙ୍କ ପୁଅ କେଶବ ଗତ ୯ ମାସ ପୂର୍ବେ କୋଡିଗାଁ ଥାନା ଅନ୍ତର୍ଗତ ହଳଦିପାଟନା ଗ୍ରାମରେ ଅନ୍ୟ ଜାତିର ଏକ ଝିଅକୁ ପ୍ରେମବିବାହ କରିଥିଲା । ସେ ଅନ୍ୟ ଜାତିର ହୋଇଥିବାରୁ ଗାଁରେ କେଶବକୁ ବାସନ୍ଦ କରାଯାଇଥିଲା। ସେହି ଦିନ ଠାରୁ କେଶବ ଶ୍ବଶୁର ଘର ଗାଁରେ ରହୁଥିଲା। ଗତ ୩ ଦିନ ପୂର୍ବେ କେଶବ ନିଜ ଘରକୁ ଆସିଥିଲା। ଗତକାଲି ରାତି ପ୍ରାୟ ୧୧ଟାରେ ବାପା ଓ ପୁଅ ମଧ୍ୟରେ ଏହି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ବାପା ଓ ପୁଅ ମଧ୍ୟରେ ଚାଲିଥିବା ବିବାଦରେ ପୁଅ କେଶବ ବାପାକୁ ଏକ ଧକ୍କା ଦେବାରୁ ବାପା କୋମଳ ଲୋଚନ ଘର ମଧ୍ୟରେ ଥିବା ଏକ ଝରକାର କାନ୍ଥରେ କୋମଳ ଲୋଚନଙ୍କ ମୁଣ୍ଡକୁ ଶକ୍ତ ଧକ୍କା ବାଜିବାରୁ ଘଟଣା ସ୍ଥଳରେ ହିଁ ସେ ଟଳିପଡିଥିଲେ।
ମୃତକ କୋମଳଲୋଚନର ସାନପୁଅ ତୁଳାରାମ ଅମାନତ୍ୟ ଘଟଣା ସଂକ୍ରାନ୍ତରେ ଆଜି ନବରଙ୍ଗପୁର ଥାନାକୁ ଆସି କହିବା ସହ ଘଟଣା ସଂକ୍ରାନ୍ତରେ ଏକ ଲିଖିତ ଅଭିଯୋଗ କରିଥିଲେ। ତୁଳାରାମ ର ଅଭିଯୋଗକୁ ଆଧାର କରି ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ଅତିରିକ୍ତ ଆଇଆଇସି ପ୍ରମୀଳା ବିଡିକା, ଏସଆଇ ରାକେଶ ବେହେରା ଓ ଷ୍ଟାଫ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ। ପରେ କୋରାପୁଟ ରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିବା ପରେ ଶବକୁ ବ୍ୟବଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଏ ନେଇ ନବରଙ୍ଗପୁର ଥାନାରେ କେସ ନଂ ୨୮୦/୨୧ ରେ ମାମଲା ରୁଜୁ କରାଯାଇ ଥିବା ବେଳେ ପୁଅ କେଶବକୁ ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୁଲିସ।
The post ପୁଅର ଧକ୍କାରେ ବାପାର ମୃତ୍ୟୁ, ଅଭିଯୁକ୍ତ ଥାନାରେ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3zBNo7B
0 Comments