ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ଣରେ ଖୋଲୁନାହିଁ ବହିଃ ରୋଗ ଚିକିତ୍ସା ବିଭାଗ 

ଖୋର୍ଦ୍ଧା: ସରକାରୀ ଚିକିତ୍ସାଳୟ ୨୪ ଘଂଟିଆ ରୋଗୀଙ୍କ ପାଇଁ ଖୋଲା ରହିବା କଥା। କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ଣ ହେଲେ ବହିଃ ରୋଗ ବିଭାଗ (ଓପିଡି) ବନ୍ଦ ହୋଇଯାଉଛି। ଫଳରେ ଶତାଧିକ ରୋଗୀ ଆବଶ୍ୟକୀୟ ଚିକିତ୍ସା ନପାଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିଃ ଚିକିତ୍ସା ବିଭାଗ (ଓପିଡି) ସକାଳ ୮ଟାରୁ ୧୨ଟା ଓ ପୁଣି ଅପରାହ୍ଣ ୪ଟାରୁ ୭ଟା ଖୋଲାଯିବା ନିୟମ ରହିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ୱାର୍ଡ ୮ଟା ବେଳକୁ ଖୋଲା ଯାଉଥିଲେ ମଧ୍ୟ ଡାକ୍ତର ଘଂଟାଏ-ଦେଢ଼ଘଂଟା ବିଳମ୍ବରେ ଆସୁଥିବା ଦେଖିବାକୁ ମିଳୁଛି।

ତେବେ ଚିନ୍ତାର ବିଷୟ ଏହିକି ଯେ ରୋଗୀମାନେ ବାହାରେ ଅପେକ୍ଷା କରି ରହିଥିବା ବେଳେ ଡାକ୍ତର ମାତ୍ର ୨-୩ ଘଂଟା ରହି ୧୨ଟା ପୂର୍ବରୁ ଚାଲି ଯାଉଛନ୍ତି। ଅପରାହ୍ଣ ସମୟ ଚିକିତ୍ସାଳୟର ଓପିଡି ସଂପୂର୍ଣ୍ଣ ଭାବେ ବନ୍ଦ ରହୁଛି। ଏନେଇ ସିଡିଏମ୍ଓ ଡଃ. ବିଶ୍ୱରଂଜନ ପତିଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଏଭଳି କୌଣସି ଅଭିଯୋଗ ତାଙ୍କ ନିକଟକୁ ଆସିନାହିଁ। ଅପରାହ୍ଣରେ ଖୋଲାଯାଉଥିବା କଥା ରେଜିଷ୍ଟାରରେ ଲେଖା ଯାଉଛି। ଯଦି ଖୋଲା ଯାଉନାହିଁ ତେବେ ଲିଖିତ ଭାବେ ଅଭିଯୋଗ କଲେ ସମ୍ପୃକ୍ତ ବିଭାଗ ବିରୋଧରେ ପଦକ୍ଷେପ ନିଆଯିବ।

ସେହିଭଳି, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡଃ. ଦ୍ୱାରିକା ମୋହନ ଶତପଥିଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ନଥିବାରୁ ଅପରାହ୍ଣରେ ଓପିଡି ଖୋଲା ଯାଇପାରୁନାହିଁ। ଯଦିଓ ମେଡିସିନ (ଭେଷଜ), ଅସ୍ଥିଶଲ୍ୟ, ଇଏନ୍‌ଟି ଆଦି ବିଭାଗରେ ଡାକ୍ତରଙ୍କ ସଂଖ୍ୟା କମ୍ ରହିଛି, କିନ୍ତୁ ସ୍ତ୍ରୀରୋଗ, ଶିଶୁ ଓ ଅସ୍ତ୍ରୋପଚାର (ଶଲ୍ୟ) ବିଭାଗରେ ୫ରୁ ଅଧିକ ଡାକ୍ତର ରହିଥିବା ବେଳେ ଏହି ବିଭାଗଗୁଡ଼ିକ ଦିନକୁ ଦୁଇବେଳା ଖୋଲାଯାଉନଥିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସହାୟକ ଅଧିକାରୀଙ୍କ ମୋଟ ସଂଖ୍ୟା ୧୨ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଭ୍ ଟ୍ରେନି ରିଜର୍ଭ ମେଡିକାଲ୍ ଅଫିସର (ଏଲ୍‌ଟିଏମ୍ଓ) ଓ ଅନ୍ୟ ଡାକ୍ତରଙ୍କ ସଂଖ୍ୟା ମିଶାଇ ୭୯ଜଣ ଡାକ୍ତର ରହିବା କଥା। କରୋନା ମହାମାରୀ ପୂର୍ବରୁ ଅର୍ଥାତ୍ ୨୦୧୮-୧୯ ବର୍ଷରେ ମୋଟ ୯୧ଜଣ ଡାକ୍ତରଙ୍କ ବଦଳରେ ଜିଲ୍ଲାରେ ୬୨ଜଣ ଡାକ୍ତର ରହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବଳ ଖୋର୍ଦ୍ଧା ନୁହନ୍ତି ନିକଟସ୍ଥ କଟକ ଜିଲ୍ଲାର ବାଙ୍କୀ, ପୁରୀ ଜିଲ୍ଲାର ଡେଲାଙ୍ଗ ଓ କଣାସ, ନୟାଗଡ଼ ଜିଲ୍ଲାର ରଣପୁର, ସୁନାଖଳା ଆଦିରୁ ଦୈନିକ ଶତାଧିକ ରୋଗୀ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ଏହି ଦୃଷ୍ଟିରୁ ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ସଂଖ୍ୟା ନିଯୁକ୍ତି କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଆସୁଛି।

ତେବେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ପୂରଣ ହୋଇ ପାରିନାହିଁ। ୨୦୨୦ ମାର୍ଚ୍ଚ ମାସରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜିଲ୍ଲା ଚିକିତ୍ସାଳୟ ଗୁଡ଼ିକରେ ମୋଟ ଡାକ୍ତର ଓ ପାରାମେଡିକ୍ କର୍ମଚାରୀ ସଂଖ୍ୟା ଠାରୁ ଅତିରିକ୍ତ ୨୫ ପ୍ରତିଶତ ଅଧିକ ଡାକ୍ତର ଓ କର୍ମଚାରୀ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଅନୁସାରେ କେତେକ କନିଷ୍ଠ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ଜିଲ୍ଲା ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଓ ବରିଷ୍ଠ ଡାକ୍ତରଙ୍କ ଅଭାବ ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଠିକ୍ ଚିକିତ୍ସା ପ୍ରଦାନ କରାଯାଇ ପାରୁନାହିଁ। ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କରୋନା ମହାମାରୀରେ ଚିକିତ୍ସାଳୟରେ ସାଧାରଣ ଅସୁସ୍ଥତା ପାଇଁ ଆସୁଥିବା ରୋଗୀଙ୍କ ଭିଡ଼ କମାଇବାକୁ ଟେଲିମେଡିସିନ୍ ପାଇଁ ସ୍ୱତନ୍ତ୍ର କକ୍ଷ ଖୋଲାଯାଇଥିଲା, ତାହା ମଧ୍ୟ ଡାକ୍ତରଙ୍କ ଅଭାବ ଯୋଗୁଁ ଅଳ୍ପ କିଛି ଦିନ କାମ କରି ବନ୍ଦ ରହିଛି।

The post ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ଣରେ ଖୋଲୁନାହିଁ ବହିଃ ରୋଗ ଚିକିତ୍ସା ବିଭାଗ  first appeared on Sambad.

from ଜିଲ୍ଲା | Sambad https://ift.tt/3wIbaNj

Post a Comment

0 Comments