ଜଗନ୍ନାଥପ୍ରସାଦ: ଜମିବାଡ଼ି ଓ ସମ୍ପତ୍ତି ଭାଗ ପାଇଁ ବାପଘର ଲୋକଙ୍କ ସହଯୋଗରେ ନିଜ ଦେଡ଼ଶୂରଙ୍କୁ କୋଡ଼ିରେ ହାଣି ହତ୍ୟା କଲା ଭାଇବୋହୂ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ ସନ୍ତୋଷ ନାୟକ (୩୫)। ସୂଚନାନୁସାରେ, ପଞ୍ଚଭୂତି ଗ୍ରାମ ବେଢ଼ା ସାହିର ଭଗବାନ ନାୟକ ଗତ ପାଞ୍ଚ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ପିଚୁକୁଳିରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏଥିପାଇଁ ପତ୍ନୀ ଲକ୍ଷ୍ମୀଙ୍କୁ ଦୁର୍ଘଟଣାଜନିତ କ୍ଷତିପୂରଣ ଓ ଏଲ୍‌ଆଇସି ପକ୍ଷରୁ ବୀମାରାଶି ବାବଦରେ ପ୍ରାୟ ୧୫ ଲକ୍ଷ ଟଙ୍କା ମିଳିଥିଲା।

କିନ୍ତୁ ଏହି ଟଙ୍କା ବଣ୍ଟନକୁ ନେଇ ଦେଡ଼ଶୁର ସନ୍ତୋଷ ଓ ତାଙ୍କ ଭାଇବୋହୂ ଲକ୍ଷ୍ମୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଫଳ‌ରେ ଲକ୍ଷ୍ମୀ ତାଙ୍କ ୬ ବର୍ଷର ଝିଅକୁ ଧରି ବାପା ବଂଶୀଧର ପ୍ରଧାନଙ୍କ ଘରେ କୁମ୍ପାପଡ଼ା ଗ୍ରାମରେ ରହୁଥିଲେ। ବେଳେବେଳେ ସମ୍ପତ୍ତି ଓ ଜମି ଭାଗ ପାଇଁ ଦେଡ଼ଶୁର ସନ୍ତୋଷଙ୍କ ଘରକୁ ପଞ୍ଚଭୂତି ଗ୍ରାମକୁ ଯାଇ ପାଟିତୁଣ୍ଡ କରୁଥିଲେ। ଲକ୍ଷ୍ମୀଙ୍କୁ ଏଥିପାଇଁ ବାପଘର ଲୋକେ ସହଯୋଗ କରୁଥିଲେ।
ଆଜି ଅପରାହ୍‌ଣ ସାଢ଼େ ୧୨ଟାରେ ପୁଣି ଲକ୍ଷ୍ମୀ ତାଙ୍କ ମାଆ ଝୁନୁ, ବାପା ବଂଶୀଧର ଓ ତିନି ଭାଇ ମନୋଜ, ସୁଶାନ୍ତ ଏବଂ ପ୍ରଶାନ୍ତଙ୍କୁ ସାଙ୍ଗରେ ନେଇ ପଞ୍ଚଭୂତି ଯାଇଥିଲେ। ସନ୍ତୋଷଙ୍କ ସହ ସମସ୍ତଙ୍କ କଥା କଟାକଟି ହୋଇଥିଲା। ଲକ୍ଷ୍ମୀ ଉତ୍‌କ୍ଷିପ୍ତ ହୋଇ ସେଠାରେ ଥିବା କୋଡ଼ିରେ ସନ୍ତୋଷଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ କେସ୍ ନମ୍ବର ୨୨୨ ଅନୁସାରେ ଏକ ହତ୍ୟା ମାମାଲା ରୁଜୁ କରିଛି। ଲକ୍ଷ୍ମୀଙ୍କ ସମେତ ତାଙ୍କ ବାପଘର ଲୋକଙ୍କୁ ଅଟକ ରଖାଯାଇଛି।ମୃତ ସନ୍ତୋଷଙ୍କ ଦୁଇ ପୁଅ ଥିବା ଏହି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।

The post ସମ୍ପତ୍ତି ପାଇଁ ଦେଡ଼ଶୁରଙ୍କୁ ହତ୍ୟା କଲା ବିଧବା ଭାଇବୋହୂ first appeared on Sambad.

from ଜିଲ୍ଲା | Sambad https://ift.tt/2UZBSDL