ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ପାଇଁ ଆରମ୍ଭରୁ କେଁ, ଦରମା ଅସଙ୍ଗତିକୁ ନେଇ ମିଳୁନାହାନ୍ତି ପରଫ୍ୟୁଜିନିଷ୍ଟ

ଆବଶ୍ୟକ ୭, ଯୋଗଦେଲେ ୨
ନିୟମିତ ନିଯୁକ୍ତି ନମି‌ଳିଲେ ସେମାନେ ବି ଓହରି ଯିବେ

କଟକ : ରାଜ୍ୟରେ ଏକ୍‌ମୋ ମେସିନ୍ କାର୍ଯ୍ୟକ୍ଷମକୁ ନେଇ ଆରମ୍ଭରୁ କେଁ ଦେଖାଦେଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ୭ଟି ପରଫ୍ୟୁଜିନିଷ୍ଟ (ରକ୍ତ ସଂଚାଳକ) ପଦବି ପୂରଣ କ୍ଷେତ୍ର‌ରେ ଅଚଳାବସ୍ଥା ସୃଷ୍ଟି ହେ‌ାଇଥିବାରୁ ଏହି ସମସ୍ୟା ଦେଖାଦେଇଛି।

ଆସନ୍ତା ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ କଟକ ବଡ ଡାକ୍ତରଖାନା ଏକ୍‌ମୋ ୟୁନିଟ୍‌କୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୦ ସୁଦ୍ଧା ଏକ୍‌ମୋର ଇନ୍‌ଷ୍ଟଲେସନ୍‌ଠାରୁ ଆରମ୍ଭ କରି ଡାକ୍ତର ଓ କର୍ମଚାରୀଙ୍କ ତାଲିମ କାର୍ଯ୍ୟକ୍ରମ ସରିବ ବୋଲି ଯୋଜନା ରଖାଯାଇଛି। ‌ତେବେ, ପରଫ୍ୟୁଜିନିଷ୍ଟ (ରକ୍ତ ସଂଚାଳକ) ପଦବି ପୂରଣ କ୍ଷେତ୍ର‌ରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଚୁକ୍ତି ଭିତ୍ତିକ ନିଯୁକ୍ତି ସହିତ ମାସିକ ୧୬ ହଜାର ଟଙ୍କା ଦରମା ଧାର୍ଯ୍ୟ କରାଯାଇଥିବା ବେଳେ ତାହା ଏବେ ଏଭଳି ଅଚଳାବସ୍ଥାର ମୂଳ କାରଣ ବୋଲି କୁହାଯାଉଛି। ଏକ୍‌ମୋ ପାଇଁ ଆବଶ୍ୟକ ୭ଜଣ ପରଫ୍ୟୁଜିନିଷ୍ଟ ପଦରେ ନିଯୁକ୍ତି ପାଇଁ ସରକାର ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଗଲା ୪ ଓ ୫ ତାରିଖରେ ଏଥିପାଇଁ ସାକ୍ଷାତକାର ପରୀକ୍ଷା ହୋଇଥିଲା। ୩ଟି ସଂରକ୍ଷିତ ପଦବି ପାଇଁ ପ୍ରାର୍ଥୀ ନ ଥିବାବେଳେ ଅନ୍ୟ ୪ଟି ପଦବି ପାଇଁ ୯ ଜଣ ଆବେଦନ କରିଥିଲେ। ସେଥିରୁ ୨ ଜଣ ମହିଳା ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ମନୋନୀତ କରି ଜୁଲାଇ ୯ ତାରିଖ ସୁଦ୍ଧା ସମସ୍ତଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ଯୋଗ ଦେଇଛନ୍ତି। ସେମାନେ ବି ଏବେ ଏକପ୍ରକାର ସର୍ତ୍ତ ରଖିଛନ୍ତି। ଯଦି ସେମାନଙ୍କୁ ରେଗୁଲାର ପଦବିରେ ନିଯୁକ୍ତି ନମିଳେ ତାହେଲେ ସେମାନେ ବି ଓହରି ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ପରଫ୍ୟୁଜିନିଷ୍ଟ ପାଠ୍ୟକ୍ରମ ରାଜ୍ୟରେ ନ ଥିବାବେଳେ ସରକାରୀ ବ୍ୟବସ୍ଥାରେ ରାଜ୍ୟରେ ନିଯୁକ୍ତି ସୁଯୋଗ ପୂର୍ବରୁ ନଥିବାରୁ ଅଧିକ ପ୍ରାର୍ଥୀ ବି ନାହାନ୍ତି। ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ପରଫ୍ୟୁଜିନିଷ୍ଟ ମାସିକ ୬୦ରୁ ୭୦ ହଜାର ଟଙ୍କା ଦରମା ପାଉଛନ୍ତି। କିନ୍ତୁ ରାଜ୍ୟ ସରକାର ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ ପରଫ୍ୟୁଜିନିଷ୍ଟଙ୍କ ଦରମା ମାତ୍ର ୧୬ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ମନୋନୀତ ପ୍ରାର୍ଥୀ ରେଗୁଲାର କର୍ମଚାରୀଭାବେ ନିଯୁକ୍ତି ଚାହୁଁ ଥିବାବେଳେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଅନୁମୋଦନ ନଥିବାରୁ ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଏସ୍‌ସିବିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

The post ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ପାଇଁ ଆରମ୍ଭରୁ କେଁ, ଦରମା ଅସଙ୍ଗତିକୁ ନେଇ ମିଳୁନାହାନ୍ତି ପରଫ୍ୟୁଜିନିଷ୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/2UCUtFu

Post a Comment

0 Comments