
କଟକ : ନବମ ଶ୍ରେଣୀ ଜ୍ୟାମିତି ବହି ମଲାଟରେ ପ୍ରଦତ୍ତ ତିନିଟି ତ୍ରିକୋଣମିତି ସୂତ୍ର ମଧ୍ୟରୁ ୨ଟି ସୂତ୍ର ସଂପୂର୍ଣ୍ଣ ଭୁଲ ରହିଥିବାବେଳେ ଗଲା ୯ ବର୍ଷ ହେଲା ପିଲାମାନେ ଏଭଳି ତ୍ରୁଟିପୂର୍ଣ୍ଣ ପୁସ୍ତକ ପଢି ଆସୁଥିଲେ। ୨୦୨୧ରେ ପ୍ରକାଶିତ ‘ମାଧ୍ୟମିକ ଜ୍ୟାମିତିର ପରିମାର୍ଜିତ ସଂସ୍କରଣରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଏହି ତ୍ରୁଟିକୁ ସଂଶୋଧନ କରିଛି।
ସୂଚନାଯୋଗ୍ୟ ଯେ ହାଇସ୍କୁଲରେ ପ୍ରଚଳିତ ନବମ ଶ୍ରେଣୀ ‘ମାଧ୍ୟମିକ ଜ୍ୟାମିତି ବହିର ପ୍ରଥମ ସଂସ୍କରଣ ୨୦୧୨ରେ ପ୍ରକାଶ ପାଇଲା। ଏହି ବହି ମଲାଟରେ ତ୍ରି କୋଣମିତିର ତିନିଟି ମୌଳିକ ସୂତ୍ର ରହିଥିବାବେଳେ ସେଥିରୁ ସାଇନ୍ ଥିଟାର ବର୍ଗ ଓ କସ୍ ଥିଟାର ବର୍ଗର ଅନ୍ତର ୧ ବୋଲି ଲେଖାଯାଇଥିଲା। କିନ୍ତୁ ବାସ୍ତବରେ ସାଇନ୍ ଥିଟାର ବର୍ଗ ଓ କସ୍ ଥିଟାର ବର୍ଗର ସମଷ୍ଟି ହେଉଛି ୧। ସେହିପରି ଅନ୍ୟ ଏକ ତ୍ରୁଟିପୂର୍ଣ୍ଣ ସୂତ୍ର ହେଉଛି, କୋସେକ୍ ଥିଟାର ବର୍ଗ ଓ କଟ୍ ଥିଟାର ବର୍ଗର ସମଷ୍ଟି ୧। କିନ୍ତୁ କୋସେକ୍ ଥିଟାର ବର୍ଗରୁ କଟ୍ ଥିଟାର ବର୍ଗର ଫେଡାଣ ଫଳ ୧ ଅଟେ। ଏଭଳି ତ୍ରୁଟି ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ଲଗାତାର ରହି ଚାଲିଲା। ଚଳିତ ବର୍ଷ ଅର୍ଥାତ୍, ୨୦୨୧ରେ ପରିମାର୍ଜିତ ସଂସ୍କରଣରେ ତ୍ରୁଟି ସଂଶୋଧନ କରି ଏହି ବହିରୁ ୩ ଲକ୍ଷ କପି ଛପାଯାଇଛି। ଏ ସଂକ୍ରାନ୍ତରେ ଜଣେ ବରିଷ୍ଠ ପ୍ରଧାନଶିକ୍ଷକ କହିଛନ୍ତି ଯେ ବୋର୍ଡର ଅଭିଜ୍ଞ ଓ ସୁଦକ୍ଷ ଲେଖକ ମଣ୍ଡଳୀ ରହିଥିବା ବେଳେ ଦୀର୍ଘ ୯ ବର୍ଷ ଧରି ପାଠ୍ୟପୁସ୍ତକ ମଲାଟରେ ଏଭଳି ଗୁରୁତର ତ୍ରୁଟି ରହିବା ଦୁର୍ଭାଗ୍ୟଜନକ।
The post ନବମ ପାଠ୍ୟ ପୁସ୍ତକର ତ୍ରୁଟି ସୁଧାରିଲା ବୋର୍ଡ first appeared on Sambad.from ଜିଲ୍ଲା | Sambad https://ift.tt/3wAloiJ
0 Comments