
କଟକ : ସାପ କାମୁଡ଼ାରେ ଆହତ ହୋଇ ଏସ୍ସିବି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନାବାଳିକା ମଞ୍ଜୁଳା ଅନ୍ତି(୯)ଙ୍କ ଆଜି ପ୍ରଥମ ପ୍ଲାଷ୍ଟିକ ସର୍ଜରି କରାଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ତତ୍ତ୍ବାବଧାନରେ ଏହି ସର୍ଜରି କରାଯାଇଛି। ସାପକାମୁଡ଼ା ଯୋଗୁଁ ଡାହାଣ ହାତର ନଷ୍ଟ ହୋଇଯାଇଥିବା ସ୍ଥାନଗୁଡିକ ଚିହ୍ନଟ କରାଯାଇ ସେହି ସ୍ଥାନରେ ପେଟରୁ କିଛି ଚମଡା ଓ ମାଂସ ଆଣି ପ୍ଲାଷ୍ଟିକ ସର୍ଜରି କରାଯାଇଛି। ତେବେ ହାତକୁ ସମ୍ପୂର୍ଣ୍ଣ ଭାବେ ବଞ୍ଚାଇବା ଲାଗି ଡାକ୍ତରୀ ଟିମ ଚେଷ୍ଟା ଜାରି ରଖିଛନ୍ତି। ଏବେ ମଞ୍ଜୁଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତିନି ସପ୍ତାହ ପରେ ପୁଣି ଥରେ ମଞ୍ଜୁଳାଙ୍କ ଦ୍ବିତୀୟ ସର୍ଜରି କରାଯିବ ବୋଲି ପ୍ରଫେସର ନାୟକ ସୂଚନା ଦେଇଛନ୍ତି।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହଳଦୀ ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗାଁର ମଞ୍ଜୁଳା ନାଗସାପ ଦଂଶନର ଶିକାର ହୋଇଥିଲା। ପରିବାର ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମାସେ ହେବ ଗୁଣିଗାରେଡ଼ିରେ ତାଙ୍କୁ ଚିକିତ୍ସା କରାଉଥିଲେ। ଚିକିତ୍ସା ଅଭାବରୁ ଡାହାଣ ହାତଟି ପଚି ନଷ୍ଟ ହୋଇ ଯାଇଥିଲା। ଏହା ପରେ ତାଙ୍କୁ ପ୍ରଥମେ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ମଞ୍ଜୁଳାଙ୍କୁ ଏସ୍ସିବି ପଠାଯାଇଥିଲା।
ଗତକାଲି ତାଙ୍କୁ ପ୍ରଥମେ ଆଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସର୍ଜରି ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଉନ୍ନତ ଚିକିତ୍ସା ଲାଗି ଗୁରୁବାର ଠାରୁ ପ୍ଲାଷ୍ଟିକ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଛି। ବିଷ ଯୋଗୁଁ ମଞ୍ଜୁଳାଙ୍କ ଡାହାଣ ହାତର କିଛି ସ୍ନାୟୁ ନଷ୍ଟ ହୋଇ ଦୁଇଟି ଆଙ୍ଗୁଠି ସମ୍ପୂର୍ଣ୍ଣ ପଚିଯାଇଛି। ଡାକ୍ତରୀ ଟିମ୍ର ପରାମର୍ଶ ପରେ ଆଜି ପ୍ରଥମ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା।
The post ସାପ କାମୁଡ଼ାରେ ଆହତ ମଞ୍ଜୁଳାଙ୍କ ହେଲା ପ୍ରଥମ ସର୍ଜରି first appeared on Sambad.from ଜିଲ୍ଲା | Sambad https://ift.tt/3hKwg9z
0 Comments