
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ ଓ ପରିଚିତ ନାଟ୍ୟକାର ଡା. ଧନେଶ୍ୱର ସାହୁ (୬୬ ବର୍ଷ)ଙ୍କ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଦେହନ୍ତା ଘଟିଛି ।
ଡା ଧନେଶ୍ୱର ସାହୁ ହୃଦ୍ରୋଗରେ ପୀଡ଼ିତ ଥିଲେ । ଏହା ପୂର୍ବରୁ ଦୁଇ ଥର ତାଙ୍କର ହୃଦ୍ ଅସ୍ତ୍ରୋପଚାର ହୋଇଛି । କିଛି ଦିନ ତଳେ ଶ୍ୱାସଜନିତ କାରଣରୁ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଂକୁ ଭୁବନେଶ୍ୱର ଆମ୍ରି ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଆଜି ତାଙ୍କର ଦେହାନ୍ତ ଘଟିଛି । ମର ଶରୀରକୁ ନିଜ ଗ୍ରାମ କୁଣ୍ଡିଲୋକୁ ଅଣାଯାଇ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।
ଡାକ୍ତର ସାହୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଥିବାବେଳେ ଜିଲ୍ଲା ଚିକିତ୍ସାଳୟର ବହୁବିଧ ଉନ୍ନତି ପାଇଁ ପ୍ରଚେଷ୍ଟା କରିଥିଲେ । ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ଯେମିତି ଶୋଷଣର ଶିକାର ନ ହୁଅନ୍ତି, ସେଥିପାଇଁ ସେ ବରାବର ଦୃଷ୍ଟି ରଖୁଥିଲେ । ଏହି କାରଣରୁ ସେ ଜନସାଧାରଣଙ୍କ ମଧ୍ୟରେ ବେଶ୍ ସମ୍ମାନ ରହିଥିଲା । ଏହା ସହ ଜଣେ ନାଟ୍ୟକାର ଭାବେ ମଧ୍ୟ ସେ ସୁନାମ ଅର୍ଜ୍ଜନ କରିଥିଲେ । ନିଜ ଜୀବନ କାଳ ମଧ୍ୟରେ ଆନେ୍ଦାଳନ ବ୍ୟାନରରେ ସେ ୩୬ଟି ଛୋଟବଡ଼ ନାଟକ କରିଛନ୍ତି । ଏହା ମଧ୍ୟରେ ରିକ୍ସାବାଲା, କରୋନା, ଭିନ୍ନ ଏକ ହାଟ, ଦରବାର, ଅଟୋବାଲା, ଆଜ୍ଞା ଗୋଟେ ମିନିଟ୍, ମାୟା ଆଦି ୩୪ଟି ନାଟକ ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ମାନ ପାଇଛି । ଏହା ସହ ସେ ମୂଲ୍ୟବୋଧଭିତିକ ମାସିକ ପତ୍ରିକା ଆମରିସତ୍ୟର ସହ ଜଡ଼ିତ ଥିଲେ ।
ଡା ସାହୁଙ୍କ ଦେହାନ୍ତରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ସତ୍ୟବାଦୀ ବଳିଆରସିଂହ, ଆମରିସତ୍ୟର ପ୍ରତିଷ୍ଠାତା ଡ ପ୍ରମୋଦ ଚନ୍ଦ୍ର ଦାଶ, କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନ, ଖୋର୍ଦ୍ଧା ସାହିତ୍ୟ ସଂସଦର ସଭାପତି ଗୋପାଳକୃଷ୍ଣ ଦାସ, ଖୋର୍ଦ୍ଧା ବିଷୁବ ମିଳନ ସମିତିର ସଂପାଦକ ଜ୍ଞାନରଂଜନ ଦାଶ, ଆନେ୍ଦାଳନର ମୁଖ୍ୟ ସନ୍ତୋଷ ମହାନ୍ତି, ସମାଜସେବୀ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଯୋଗପ୍ରଶିକ୍ଷିକା ଇତିଶ୍ରୀ ସାହୁ, ଲଳିତ ମୋହନ ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
The post ପୂର୍ବତନ ଚିକିତ୍ସାଧିକାରୀ ଓ ନାଟ୍ୟକାର ଡା ଧନେଶ୍ୱର ସାହୁଙ୍କ ଦେହାନ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3wpr7rH
0 Comments