
ଧର୍ମଶାଳା : ଗୋରୁଗାଡ଼ିରୁ ବଟି ଆଦାୟ କରିବା ଅଭିଯୋଗରେ ଆଜି ଧର୍ମଶାଳା ଥାନା ପୁଲିସ୍ ୩ ଜଣ ଓ୍ବେବ୍ ଚାନେଲ୍ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ସାମ୍ବାଦିକମାନେ ହେଲେ ଦେଉଳି ଗ୍ରାମର ସଂଜୟ କୁମାର ମିଶ୍ର, ଦେଉଳିପାଳ ଗାଁର ତୁଷାର ଖୁଣ୍ଟିଆ ଏବଂ ମୁଣ୍ତମାଳ ଗ୍ରାମର ସତ୍ୟରଂଜନ ପାଢ଼ୀ। ଗୋରୁ ଗାଡ଼ିକୁ ଅଟକାଇବା, ବଟି ମାଗିବା, ବଟି ନମିଳିବାରୁ ଚାଳକଙ୍କୁ ଧମକ ଦେବା, ମାରପିଟ୍ କରିବା ଏବଂ ଗାଡ଼ିରେ ଥିବା ୧୮ଟି ଗୋରୁଙ୍କୁ ଫିଟାଇଦେବା ଅଭିଯୋଗରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଭୁବନେଶ୍ବର ପିପୁଲ୍ ଫର ଆନିମଲ୍ ଅନୁଷ୍ଠାନର ଜୀବନ ଦାସଙ୍କ ଏତଲାକ୍ରମେ ପୁଲିସ୍ ୩୯୪/୨୧ ରେ ଏକ ମାମଲା ରୁଜୁ କରି ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ରାତିରେ ଚଣ୍ତିଖୋଲ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଭୁବନେଶ୍ବରରୁ ପିବି-୧୦ଏଚ୍ଇ-୦୩୮୭ ନମ୍ବର ଆଇଚର ଗାଡ଼ିରେ ୧୩ଟି ଗାଈ ଓ ୫ଟି ଷଣ୍ଢ ବୋଝେଇ ହୋଇ ଗତକାଲି ରାତିରେ ଝାଡ଼ଖଣ୍ତ ଚାଲାଣ ହେଉଥିଲା। ଏସମ୍ପର୍କରେ ଭୁବନେଶ୍ବରର ଧ୍ୟାନ ଫାଉଣ୍ଡେସନ ପକ୍ଷରୁ ଖଣ୍ତଗିରି ପୁଲିସ୍ର ଅନୁମତି ନିଆଯାଇଥିଲା। ତେବେ ଜାରକା ନିକଟ ଗୋକର୍ଣ୍ଣେଶ୍ବର ମନ୍ଦିର ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଉକ୍ତ ଗାଡ଼ିକୁ ସଂପୃକ୍ତ ସାମ୍ବାଦିକମାନେ ବେଆଇନ ଭାବେ ଅଟକାଇବା ସହିତ ଘଟଣାସ୍ଥଳରେ ଝାମେଲା କରିଥିଲେ। ଏସଂପର୍କରେ ଖବର ପାଇ ଧର୍ମଶାଳା ଥାନାର ଜଣେ ପୁଲିସ୍ ଏସ୍ଆଇଙ୍କ ସମେତ ଥାନାଧିକାରୀ ଗାଡ଼ି ଛାଡ଼ିଦେବା ପାଇଁ ସେମାନଙ୍କୁ ବାରମ୍ବାର କହିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ବରଂ ଗାଡ଼ିରୁ ଗୋରୁଗୁଡ଼ିକୁ ଫିଟାଇ ଦେଇଥିଲେ। ପରେ ଯାଜପୁର ଏସ୍ପିଙ୍କ ହସ୍ତକ୍ଷେପ ପରେ ପୁଲିସ୍ ଅଭିଯୁକ୍ତ ୩ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
The post ଗୋରୁଗାଡ଼ିରୁ ବଟି ଆଦାୟ, ୩ ଓ୍ବେବ୍ ସାମ୍ବାଦିକ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3f0dE3v
0 Comments