ବଲାଙ୍ଗୀର : ସୋମବାର ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହୋଇଥିବା ପରଧିଆପାଲି ଗ୍ରାମର ୪୭ ଜଣ ବିସ୍ଥାପିତଙ୍କୁ ଲର୍କିପାଲି ସଦେଇପାଲି ପୁନର୍ବାସ ଓ ଥଇଥାନ କଲୋନି ନିମନ୍ତେ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି। ସୋମବାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ ରହି ୪୭ ଜଣ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଥିଲେ।

ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ନିତୀନ କୁଶଲକର, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ନିରଞ୍ଜନ ରାଉତ, ବଲାଙ୍ଗୀର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗ ଭୂଷଣ, ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର ମାହାପାତ୍ର, ପୁନର୍ବାସ ଓ ଥଇଥାନ ନିର୍ବାହୀ ଯନ୍ତ୍ରୀ ନିର୍ବିଘ୍ନ ଭୋଇଙ୍କ ସମେତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପନରେ ସହଯୋଗ କରିଥିବାରୁ ବିସ୍ଥାପିତ ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଲୋୟର ସୁକତେଲ ଜଳସେଚନ କର୍ତ୍ତୃପକ୍ଷଙ୍କ ତରଫରୁ ଜିଲ୍ଲାପାଳ ଚଞ୍ଚଳ ରାଣା ଧନ୍ୟବାଦ ଦେବା ସହ ପୁନର୍ବାସ ଓ ଥଇଥାନ କଲୋନିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ମୌଳିକ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଆରକ୍ଷୀ ଅଧୀକ୍ଷକ କୁଶଲକର ବିସ୍ଥାପିତ ଗ୍ରାମର ଗ୍ରାମବାସୀଙ୍କୁ ସହଯୋଗ ନିମନ୍ତେ ଧନ୍ୟବାଦ ଦେବା ସହ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

The post ଲୋୟର୍‌ ସୁକ୍‌ତେଲ ଜଳସେଚନ ପ୍ରକଳ୍ପ: ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଣ୍ଟନ first appeared on Sambad.

from ଜିଲ୍ଲା | Sambad https://ift.tt/3hAkGMZ