ବାରିପଦା : ସଂସ୍କୃତିସମ୍ପନ୍ନ ସହର ବାରିପଦା‌ ଉପରେ ପଡ଼ିଛି ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି। ଅର୍ଥ‌ ଲୋଭରେ ଏମାନେ ଠାକୁରଙ୍କୁ ମଧ୍ୟ ଛାଡ଼ୁନାହାନ୍ତି। ଏପରି ଜଣେ ଜମି ମାଫିଆଙ୍କ ପାଇଁ ଆଜି ବିପଦରେ ଶହ ଶହ ବର୍ଷର ଐତିହ୍ୟସମ୍ପନ୍ନ ବାରୁଣୀ ଶିବ ମନ୍ଦିର। କହିବାକୁ ଗଲେ ମହାଦେବଙ୍କ ପଥ ଅବରୋଧ କରି ଚାଲିଛି ନୀଳକଣ୍ଠ ନଗର ନିର୍ମାଣ। କାହିଁ କେଉଁ ରାଜାରାଜୁଡ଼ା ଅମଳରୁ ଥିବା ପ୍ରସିଦ୍ଧ ବାରୁଣୀ ଶିବ ମନ୍ଦିର ଆଜି ନୀଳକଣ୍ଠ ନଗର ନିର୍ମାଣ ପାଇଁ ନିମ୍ନଗାମୀ ହୋଇପଡ଼ିଛି। ଜରାଳୀ-ସରାଳୀ ନଦୀ ପୋତି ନିର୍ମାଣ ହେଉଥିବା ଏହି ବେଆଇନ ନଗର ସୁକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ହୋଇଥିବା ବାରୁଣୀ ଶିବ ମନ୍ଦିରର ଶୋଭା ଓ କିର୍ତ୍ତୀରାଜିକୁ ଏକପ୍ରକାର ଲୁଚାଇ ଦେଲାଣି। ମନ୍ଦିର ସଂଲଗ୍ନ ଅଞ୍ଚଳ ପୋତା ଚାଲିଛି। ଏପରିକି ମନ୍ଦିର ସାମ୍ନା ରାସ୍ତାର ଉଚ୍ଚତା ବଢ଼ିଯାଇଥିବାରୁ ସାମାନ୍ୟ ବର୍ଷାରେ ମହାଦେବ ପାଣିରେ ବୁଡ଼ିବା ଏକପ୍ରକାର ଥୟ। ସେହିପରି କିଛି ବର୍ଷ ପୂର୍ବରୁ ଏହି ପ୍ରସିଦ୍ଧ ଶୈବ ପୀଠକୁ ଯାଇଥିବା ଭକ୍ତ ଏବେ ଯଦି ଦର୍ଶନ ନିମିତ୍ତ ଯିବେ ତେବେ ବ୍ୟଥିତ ହେବେ ନିଶ୍ଚୟ। କାରଣ ମନ୍ଦିର ସଂଲଗ୍ନ ପରିବେଶ ଏବେ ଏକ କୋଠାବାଡ଼ି ନିର୍ମାଣ ସ୍ଥଳ ଭାବେ ପରିଗଣିତ ହେଲାଣି। ହଜିଗଲାଣି ସେହି ବୈାଦ୍ଧିକ ପରିବେଶ। ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଠାକୁରଙ୍କ ମନ୍ଦିରକୁ ମଧ୍ୟ ଗିଳିଦେବାକୁ ବସିଲାଣି। କାଳ କାଳରୁ ଏହି ମନ୍ଦିର ଭିତରେ ରହିଥିବା ଏକ ପ୍ରାକୃତିକ ଝରରୁ ପାଣି ନିକଟସ୍ଥ ଏକ କୁଣ୍ଡକୁ ଝରିଯାଇଥାଏ। ମାତ୍ର ନଦୀ ଶଯ୍ୟାରେ ବେଆଇନ ନିର୍ମାଣ ଫଳରେ ଉକ୍ତ ମନ୍ଦିର ଭିତରେ ଥିବା ଝର ବାଟ ବନ୍ଦ। ତେଣୁ ମନ୍ଦିର ବେଢ଼ା ଏବେ ଜଳପ୍ଳାବିତ ହେବ। ଏମିତି ବର୍ଷା‌ ହେଲେ ମନ୍ଦିର ବେଢ଼ାରେ ପାଣି ଜମିଥାଏ। ଆଉ ବର୍ତ୍ତମାନ ହେଉଥିବା ଏହି ବେଆଇନ ନିର୍ମାଣ ସବୁକିଛି ଧ୍ବସଂ କରିଦେବ ବୋଲି ‌କ୍ଷୋଭର ସହିତ କୁହନ୍ତି ବରିଷ୍ଠ ନାଗରିକ ଲମ୍ବୋଦର ମହାକୁଡ଼। ଏପଟେ କିନ୍ତୁ ଜରାଳୀ-ସରାଳୀ ନଦୀ ଗର୍ଭରେ ହୋଇଥିବା ବେଆଇନ ନିର୍ମାଣ ଏବଂ ସରକାରୀ ଅର୍ଥରେ ନିର୍ମିତ ପଥର ପ୍ୟାକିଂକୁ ଭାଙ୍ଗିବା ଘଟଣାକୁ ନେଇ କିନ୍ତୁ ସରକାରୀ ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି। ମୟୂରଭଞ୍ଜ ଇରିଗେସନ୍‌ ଏବଂ ମାଇନର୍‌ ଇରିଗେସନ୍‌ ବିଭାଗ ଏନେଇ ଦାୟିତ୍ବ ଖସାଇବାରେ ବ୍ୟସ୍ତ। କୋଟି କୋଟି ଟଙ୍କା ରାଜସ୍ବରେ ଜନସାଧାରଣଙ୍କ ହିତ ନିମନ୍ତେ ନିର୍ମିତ ଏହି ପଥର ପ୍ୟାକିଂକୁ ଜନୈକ ଜମି ମାଫିଆ ଭାଙ୍ଗିଦେଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏନେଇ ମାଇନର ଇରିଗେସନ ଅଧିକାରୀ କୁହନ୍ତି ଯେ ଏହି ପଥର ପ୍ୟାକିଂ ସୁରକ୍ଷା ଦାୟିତ୍ବ ତାଙ୍କ ବିଭାଗର ନୁହେଁ। ସେହିପରି ମୟୂରଭଞ୍ଜ ଇରିଗେସନ ମଧ୍ୟ ଏନେଇ ଚୁପ୍‌। ତେଣୁ କେଉଁ ଅଦୃଶ୍ୟ ଚାପରେ ଉକ୍ତ ଜମି ମାଫିଆଙ୍କ ଏପରି ପୁଳା ପୁଳା ବେଆଇନ କାମକୁ ପ୍ରଶାସନ ଘଣ୍ଟ ଘୋଡ଼ାଉଛି ତାହା ପ୍ରହେଳିକା ସୃଷ୍ଟି କରିଛି। ଏପରିକି ମହାଦେବଙ୍କ ମନ୍ଦିର ବିପଦରେ ଥିଲେ ମଧ୍ୟ ଅଧିକାରୀ ଏବଂ ରାଜନେତା ଚୁପ୍‌ ରହିବା ବେଶ୍‌ ଲଜ୍ଜାଜନକ ଘଟଣା ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 

The post ବାରିପଦାରେ ମାତିଛନ୍ତି ଜମି ମାଫିଆ-୨ : ବିପଦରେ ଐତିହ୍ୟସମ୍ପନ୍ନ ବାରୁଣୀ ମନ୍ଦିର first appeared on Sambad.

from ଜିଲ୍ଲା | Sambad https://ift.tt/377BDcz