
ପୁରୀ : ଗତକାଲି ଆଡ଼ପମଣ୍ଡପ ବିଜେ ପରେ ନୀତିକାନ୍ତିରେ ବିଳମ୍ବରୁ ମହାପ୍ରଭୁଙ୍କୁ ଅନିଦ୍ରା ରହିବାକୁ ପଡ଼ିଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନ ହୋଇ ଆଜିର ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ସଅଳ ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ଆରମ୍ଭ ହେବାକଥା। ଗତକାଲି ରାତି ୯ଟା ୧୫ ସୁଦ୍ଧା ପହଣ୍ଡି ଶେଷ ହୋଇ ସାରିଥିଲା। କିନ୍ତୁ ରନ୍ଧା କାର୍ଯ୍ୟରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଥିଲା। ପ୍ରାୟ ୪ ଘଣ୍ଟା ବିଳମ୍ବରେ ଅର୍ଥାତ୍ ରାତି ୧ଟା ୧୫ରେ ରୁନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହି ଅନୁସାରେ ଅନ୍ୟାନ୍ୟ ନୀତି ବି ବିଳମ୍ବ ହୋଇଥିଲା। ରାତି ୧ଟା ୫୦ରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ନୀତି ସମ୍ପନ୍ନ ହୋଇଥିଲା। ରାତି ୨ଟାରେ କୋଠ ସୁଆଁସିଆମାନେ ଆଡ଼ପମଣ୍ଡପରୁ ଚାରମାଳ ଫିଟାଇବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ। ରାତି ୩ଟା ୪୦ରେ ଚାରମାଳ ଫିଟା ସାରି କୋଠ ସୁଆଁସିଆଁମାନେ ବାହାରିଥିଲେ। ପରେ ଶ୍ରୀମୁଖ ଖଣ୍ଡୁଆ ବାହାରି ଚକା ପୋଛା ନୀତି ସମ୍ପନ୍ନ ହୋଇଥିଲା। ଭୋର ୪ଟା ୧୦ରେ ସିଂହାସନ ଧୁଆ ହୋଇ ଭୋର ୪ଟା ୨୫ରୁ ମହାସ୍ନାନ ନୀତି ବଢ଼ିଥିଲା। ଭୋର ୪ଟା ୩୫ରେ ମହାସ୍ନାନ ନୀତି ସମ୍ପନ୍ନ ପରେ ରାତି ୫ଟା ୨୦ରେ ବେଶ ନୀତି ଆରମ୍ଭ ହୋଇଥିଲା। ନୀତିକାନ୍ତି ଶେଷ ହେବାରେ ବିଳମ୍ବ ଯୋଗୁ ମହାପ୍ରଭୁ ପହୁଡ଼ ନୀତି ଅନୁଷ୍ଠିତ ହୋଇନଥିଲା। ବିନା ପହୁଡ଼ରେ ଆଜିର ନୀତିକାନ୍ତି ଆରମ୍ଭ ହୋଇଥିଲା। ରଥଯାତ୍ରା ଦିନରୁ ମହାପ୍ରଭୁ ଅନିଦ୍ରା ରହିଥିଲେ। ରଥ ଉପରେ ଠିଆ ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା। ଗତକାଲି ପହଣ୍ଡି ପରେ ମହାପ୍ରଭୁ ବିଶ୍ରାମ ନେଇଥାନ୍ତେ। କିନ୍ତୁ ନୀତି ବିଳମ୍ବ ଯୋଗୁ ମହାପ୍ରଭୁ ରାତିଅନିଦ୍ରା ରହିଛନ୍ତି। ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଣ୍ଡି ପରେ କିଛି ବିବାଦ ଯୋଗୁ ନୀତି ବିଳମ୍ବ ହୋଇଥିବା ଚର୍ଚ୍ଚା ହେଉଛି।
The post ନୀତିକାନ୍ତିରେ ବିଳମ୍ବ : ଅନିଦ୍ରା ରହିଲେ ମହାପ୍ରଭୁ first appeared on Sambad.from ଜିଲ୍ଲା | Sambad https://ift.tt/3ki6SJZ
0 Comments