
ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରାରେ ଶ୍ରୀନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜଙ୍କ ମଧ୍ୟସ୍ଥତା ପରେ ନବ ଦିନାତ୍ମକ ଯାତ୍ରା ସାରି ଫେରିଥିବା ମହାପ୍ରଭୁଙ୍କୁ ଆଜି ମା’ ଲକ୍ଷ୍ମୀ ଦେଖା ଦେଇଛନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ଆଜ୍ଞାମାଳ ଦେଇ ଅପମାନ ଜର୍ଜ୍ଜରିତ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ଆଜି ରଥ ଉପରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଅପରାହ୍ଣ ପ୍ରାୟ ୫ଟା ରାଜନଅରଠାରେ ନନ୍ଦିଘୋଷ ରଥ ଅଟକିବା ପରେ ଲକ୍ଷ୍ମୀ-ନାରାୟଣ ଭେଟ ସମ୍ପନ୍ନ ହୋଇଛି।
ବିବାହ ପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ନ ଜଣାଇ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କୁ ଧରି ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରାରେ ଚାଲି ଯାଇଥିଲେ। ଏହା ଜାଣି ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରାରେ ଯାଇଥିଲେ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଅପମାନିତ ହୋଇ ଫେରି ଆସିଥିଲେ। ଏଥିପାଇଁ ମା’ ଅଭିମାନ କରିଛନ୍ତି। ଆଉ ଏହି ମାନଭଞ୍ଜନ ପାଇଁ ଆଜି ରାଜନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଛି। ନଅ ଦିନ ହେଲା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନଥିବା ମା’ ଲକ୍ଷ୍ମୀ ଆଜି ମା’ ବିମଳାଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ମାନଭଞ୍ଜନର ମଧ୍ୟସ୍ଥି ସାଜିଛନ୍ତି। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀମନ୍ଦିରରୁ ସୁସଜ୍ଜିତ ବିମାନରେ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ରାଜନଅରଠାରେ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ପୁନର୍ବାର ଶ୍ରୀମନ୍ଦିର ଫେରି ଯାଇଛନ୍ତି।
ପବିତ୍ର ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ(ଚତୁଦର୍ଦ୍ଦଶୀ) ଦିନ ସ୍ନାନବେଦିରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡ଼ି ଅଣସର ଘରେ ଚିକିତ୍ସିତ ଥିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ ବୁଲିବାକୁ ଭାଇ-ଭଉଣୀଙ୍କୁ ଧରି ରତ୍ନବେଦି ଛାଡ଼ି ଜନ୍ମବେଦିକୁ ବୁଲିବାକୁ ଚାଲି ଯାଇଥିଲେ। ଏହି ସମୟରେ ନବବିବାହିତ ମା’ ଲକ୍ଷ୍ମୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନଥିଲା। ନବବିବାହିତା ମା’ ଲକ୍ଷ୍ମୀ ୫ ଦିନର ବିରହ ବେଦନା ସହ୍ୟ କରିନପାରି ମା’ ବିମଳାଙ୍କ ପରାମର୍ଶକ୍ରମେ ହେରାପଞ୍ଚମୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଥିଲେ। କିନ୍ତୁ ମା’ ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଠିଆ ହୋଇ ରହିଥିବାବେଳେ ଜୟ-ବିଜୟ ଦ୍ବାର ବନ୍ଦ ହୋଇଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ନ ପାଇ ମା’ ନାକଚଣା ଦ୍ୱାର ଦେଇ ଅପମାନରେ ଫେରି ଆସିବା ସହ ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଥିଲେ। ସେବେଠୁ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ମାନ କରିଛନ୍ତି।
The post ଶ୍ରୀନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ, ମା’ ବିମଳାଙ୍କ ଅନୁରୋଧ ପରେ ଦର୍ଶନ ଦେଲେ ମହାଲକ୍ଷ୍ମୀ first appeared on Sambad.from ଜିଲ୍ଲା | Sambad https://ift.tt/3kCrGMr
0 Comments