ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଏନ୍‌ଏସି ୫ ନମ୍ବର ୱାର୍ଡ଼ର ଗୋଟିଏ ପରିବାରର ୪ ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେ‌ଳେ ଯୋଜନାର କାର୍ଯ୍ୟକାରିତାକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। ହିତାଧିକାରୀ ଚୟନରେ ଅନିୟମିତତା ବି ପଦାରେ ପଡ଼ିଛି।

ମିଳିଥିବା ସୂଚନାନୁସାରେ, ଭରତ ନାହାକଙ୍କ ପତ୍ନୀ, ତିନି ପୁଅ ଓ ଦୁଇ ଝିଅ ଅଛନ୍ତି। ଗୋଟିଏ ଝିଅ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତ ତାଳସାକର ଗ୍ରାମରେ ବିବାହ କରିଥିବା ବେଳେ ଆଉ ଗୋଟିଏ ଝିଅ ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚବିଦ୍ୟାଳୟରେ ପଢ଼ୁଛି। ତିନିପୁଅ ରାଜ୍ୟ ବାହାରେ କାମ କରୁଥିବା ବେଳେ ବର୍ତ୍ତମାନ କରୋନା ପ୍ରାଦୁର୍ଭାବ ଯୋଗୁଁ ଫେରି ଆସି ଗାଁରେ କାମ କରୁଛନ୍ତି।
ଭରତଙ୍କ ସ୍ତ୍ରୀ ଡାଙ୍ଗିଲିଙ୍କୁ ପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଗୃହ କାର୍ଯ୍ୟ ଶେଷ ହେବା ପରେ ପୂରା ଅର୍ଥ ମିଳିଛି। ପରେ ଡାଙ୍ଗିଲିଙ୍କ ଦୁଇପୁଅ ବସନ୍ତ ଓ ସନାତନ ଏବଂ ବିବାହିତା ଝିଅ ବନିତାଙ୍କୁ ପୋଲସରା ଏନଏସି ପକ୍ଷରୁ କାର୍ଯ୍ୟାଦେଶ ମିଳିଥିଲା। ବନିତାଙ୍କ ଘର କାମ ସମ୍ପୂର୍ଣ୍ଣ ହେବା ପରେ ଦୁଇ ଲକ୍ଷ ଟଙ୍କା ଓ ସନାତନ ଏବଂ ବସନ୍ତଙ୍କୁ ଏକ ଲକ୍ଷ ଟଙ୍କା ଗୃହ ନିର୍ମାଣ ବାବଦକୁ ଯୋଗାଯାଇ ଥିବା ଜଣାପଡ଼ିଛି।

କିନ୍ତୁ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କୁ ଏନ୍‌ଏସି କେଉଁ ଆଧାରରେ କାର୍ଯ୍ୟାଦେଶ ଦେଲା, ହିତାଧିକାରୀଙ୍କ ତାଲିକା କିଏ ପ୍ରସ୍ତୁତ କଲା, ହିତାଧିକାରୀଙ୍କ ସତ୍ୟପାଠରେ କଣ ରହିଥିଲା, ଅବିବାହିତାଙ୍କୁ କିଭଳି କାର୍ଯ୍ୟାଦେଶ ମିଳିଲା ଓ ଏହା ପଛ‌ରେ କାହାର ପ୍ରୋତ୍ସାହନ ରହିଛି, ଏ‌ଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି ହୋଇଛି। କେବଳ ଏହି ‌ଗୋଟିଏ ଘଟଣା ନୁହେଁ, ଏନଏସି ରେ ଗୃହ ନିର୍ମାଣ ପାଇଁ ଦାଖଲ ହୋଇଥିବା ସତ୍ୟପାଠ ଗୁଡ଼ିକ ଜାଲ ହୋଇଥିବା ଖବର ପଦାକୁ ଆସିଛି।
ପୋଲସରା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ଆଲୋଚନା ବେଳେ ସେ କହିଛନ୍ତି, ଘଟଣା ନଜରକୁ ଆସିଲେ ଓ ଅଭିଯୋଗର ସତ୍ୟ ପ୍ରମାଣିତ ହେଲେ ଏଥିରେ ଯିଏବି ସଂପୃକ୍ତ ଥିବ, ତାଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ତହସିଲର ପ୍ରମାଣପତ୍ର ଅନୁଯାୟୀ ଆବାସ ଗୃହ ଯୋଗାଇ ଯାଇଛି। ରାଜସ୍ୱ ବିଭାଗ ନିରପେକ୍ଷ ତଦନ୍ତ କରି ପ୍ରମାଣ ପତ୍ର ଯୋଗାଇବା କଥା। ଲେଣ୍ଡ ରାଇଟ ସାର୍ଟିଫିକେଟ ଦେବା ପୂର୍ବରୁ କମିଟି ଅନୁସନ୍ଧାନ କରି ଦେବା କଥା ବୋଲି ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉକି, ପୋଲସରା ଏନ୍‌ଏସିରେ ମୋଟ ୧୧୧୦ ଜଣ ପିଏମ୍‌ଏୱାଇ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଛି। ୯୬୬ ଜଣଙ୍କ କାମ ଶେଷ ହୋଇଥିବା ବେଳେ ୪୫ଜଣଙ୍କ ପୁନାଦି ପଡ଼ିଛି। ଏହି ବାବସରେ ସରକାରଙ୍କ ପକ୍ଷରୁ ୨୦ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଣ ହୋଇଥିବା ଜଣାପଡିଛି।

The post ପିଏମ୍‌ଏୱାଇରେ ଦୁର୍ନୀତିର ଗନ୍ଧ; ଗୋଟିଏ ପରିବାରର ୪ ସଦସ୍ୟ ହାତେଇଛନ୍ତି ଘର first appeared on Sambad.

from ଜିଲ୍ଲା | Sambad https://ift.tt/3kZng2p