ସୁନ୍ଦରଗଡ଼ ଜିଲ୍ଲାରେ ମାଳ ମାଳ ନକଲି ଶିକ୍ଷକ! କୁଆରମୁଣ୍ଡା ବ୍ଲକରେ ୨ ନକଲି ଶିକ୍ଷକ

ରାଉରକେଲା: ନକଲି ଓଟିଇଟି ସାର୍ଟିଫିକେଟ ଦେଇ ଚାକିରିରେ ନିୟମିତ ହେଲେ। ତା’ ସାଙ୍ଗକୁ ପଦୋନ୍ନତି ସହ ବର୍ଦ୍ଧିତ ଦରମା ବି ପାଇଚାଲିଛନ୍ତି। ଏଭଳି ନଜିର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକରେ। ଏହି ବ୍ଲକର ଦୁଇ ଜଣ ଶିକ୍ଷୟିତ୍ରୀ ନକଲି ଓଟିଇଟି ସାର୍ଟିଫିକେଟ୍‌ ପ୍ରଦାନ କରି ଚାକିରି କରୁଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଇତିମଧ୍ୟରେ ତିନି ତିନି ଥର ସାର୍ଟିଫିକେଟ୍‌ ଯାଞ୍ଚ କରାଯାଇସାରିଲାଣି। ତେବେ ସେତେବେଳେ ଧରାପଡ଼ିଲେନି କେମିତି? ଏହା ହିଁ ବିସ୍ମୟ ସୃଷ୍ଟି କରିଛି। ପ୍ରକୃତରେ ଶିକ୍ଷା ବିଭାଗ ଅଧିକାରୀମାନେ ହିଁ ଜାଲିଆତି କରି ଅଯୋଗ୍ୟଙ୍କୁ ଯୋଗ୍ୟ ବିବେଚିତ କରିଥିବା ଜଳଜଳ ହୋଇ ଦିଶୁଛି।

ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାର କୁଆଁରମୁଣ୍ଡା ବ୍ଲକର ଏକ ନାମୀ ବିଦ୍ୟାଳୟର ଦୁଇଜଣ ଶିକ୍ଷୟତ୍ରୀ ନକଲି ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଓଟିଇଟି ସାର୍ଟିଫିକେଟରେ ପାସ୍‌ ଦର୍ଶାଯାଇଥିବାବେଳେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦରୁ ହସ୍ତଗତ ତଥ୍ୟ କହୁଛି ସେମାନେ ଫେଲ୍‌। ଗତ ୨୦୧୯ ମସିହାରେ ଅନଲାଇନ୍‌ରେ ଅନୁଷ୍ଠିତ ଓଟିଇଟି ପରୀକ୍ଷାରେ ଏହି ଦୁଇ ଶିକ୍ଷୟିତ୍ରୀ ଫେଲ୍‌ ହୋଇଥିଲେ। ପରବର୍ତ୍ତୀ ସମୟରେ ଏମାନେ କିନ୍ତୁ ହଠାତ୍‌ ପାସ୍‌ ହୋଇଯାଇଥିଲେ। ପ୍ରକାଶଥାଉକି, ଶେଷଥର ପାଇଁ ୨୦୧୯ରେ ଅନଲାଇନ୍‌ରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବାପରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଉ କୌଣସି ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ।

୨୦୨୧ ଆରମ୍ଭରେ ପୁନର୍ବାର ଅଫ୍‌ଲାଇନ୍‌ରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଏହି ପରୀକ୍ଷାର ଫଳ ଏଯାଏଁ ପ୍ରକାଶ ପାଇନି। ଅର୍ଥାତ୍‌, ପ୍ରଥମଥର ପରୀକ୍ଷାରେ ଫେଲ୍‌ ହୋଇଥିବାବେଳେ ଦ୍ବିତୀୟବାର ପରୀକ୍ଷାର ଫଳ ପ୍ରକାଶ ପାଇନି, ତଥାପି ଏମାନେ ପାସ୍‌ କଲେ କେମିତି? ବିଡ଼ମ୍ବନା ଏହା ଯେ, ବିଦ୍ୟାଳୟ ଠାରୁ ଆରମ୍ଭକରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦାଖଲ ହୋଇଥିବା ସାର୍ଟିଫିକେଟରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ବୟ ପାସ୍‌ ହୋଇଥିବା ଦର୍ଶାଯାଇଛି।

ସୂଚନା ଅଧିକାର ଆଇନ ବଳରେ ସୁନ୍ଦରଗଡ ଜିଲ୍ଲାରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ନକଲି ଓଟିଇଟି ସାର୍ଟିଫିକେଟ ଦାଖଲ କରି ଚାକିରି କରୁଥିବାର ନଜିର ଆସିଲାପରେ ଜିଲ୍ଲା ଶିକ୍ଷା ବିଭାଗ ଏବେ ତତ୍ପରତା ଦେଖାଇଛି। ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ(ପତ୍ରାଙ୍କ ସଂଖ୍ୟା ୧୯୬୪, ତା-୨୪.୦୬.୨୧) ନିର୍ଦ୍ଦେଶ ଦେଇଛନ୍ତି ଯେ, ଜୁଲାଇ ୨ ତାରିଖ ସୁଦ୍ଧା ଜିଲ୍ଲାର ସବୁ ବର୍ଗର ଶିକ୍ଷକ, ଯେଉଁମାନେ ଓଟିଇଟି ପାସ କରିଛନ୍ତି ଯଥାଶୀଘ୍ର ତାଙ୍କର ପ୍ରମାଣ ପତ୍ରର ନକଲ ଦାଖଲ କରିବେ। ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ହୋଇଛି କି, ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବାର ଖବର ଶିକ୍ଷା ବିଭାଗକୁ ଅଡୁଆରେ ପକାଇଛି। ତେଣୁ, ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ମାନଙ୍କର ଓଟିଇଟି ପ୍ରମାଣପତ୍ରର ବୈଧତା ଯାଞ୍ଚ ପାଇଁ ବୋର୍ଡ କାର୍ଯ୍ୟାଳୟକୁ ପଠାଯିବବୋଲି ଉଲ୍ଲେଖ ହୋଇଛି।

ସବୁଠାରୁ ବିସ୍ମୟକର କଥା ହେଲା ଗତବର୍ଷ କୁଆରମୁଣ୍ଡା ବ୍ଲକରେ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ସରିବାପରେ ବିଇଓ କହିଥିଲେ କୌଣସି ଶିକ୍ଷକ ଶିକ୍ଷତ୍ରୀଙ୍କ ଜାଲ ସାର୍ଟିଫିକେଟ ନାହିଁ। ଆମେ ଶିକ୍ଷା ବିଭାଗକୁ ଶୂନ ରିପୋର୍ଟ ପଠେଇଦେଇଛୁ। କେବଳ କୁଆରମୁଣ୍ଡା ବ୍ଲକ ନୁହେଁ, ବରଂ ଜିଲ୍ଲାର ସବୁ ବ୍ଲକରେ ଏଭଳି ଢ଼ଙ୍ଗରେ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ହାତ କରି ଚାକିରି ନିୟମିତ କରିବା ସହ ପଦୋନ୍ନତି ଏବଂ ବର୍ଦ୍ଧିତ ଦରମା ନେଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ, ତାହା ସମ୍ଭବ ହୋଇପାରିନଥିଲା।

The post ସୁନ୍ଦରଗଡ଼ ଜିଲ୍ଲାରେ ମାଳ ମାଳ ନକଲି ଶିକ୍ଷକ! କୁଆରମୁଣ୍ଡା ବ୍ଲକରେ ୨ ନକଲି ଶିକ୍ଷକ first appeared on Sambad.

from ଜିଲ୍ଲା | Sambad https://ift.tt/3dxed4g

Post a Comment

0 Comments