ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗର ନିଜସ୍ବ କାର୍ଯ୍ୟକ୍ରମ ଦ୍ବାରା ଅସ୍ଥାୟୀ ଶିକ୍ଷା କେନ୍ଦ୍ରରେ ଗୋଷ୍ଠୀ ଶିକ୍ଷାଦାନ କରାଯାଉଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ତୃତୀୟ ଲହରର ପ୍ରମୁଖ କାରଣ ପାଲଟି ପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଗୋଷ୍ଠୀ ଶିକ୍ଷାଦାନ ନାଁରେ ଛୋଟ ଛୋଟ କୋଠରିରେ ବହୁ ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ କରୋନାର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ବହୁ ସ୍ଥାନରେ ଶିଶୁମାନେ ବିନା ମାସ୍କ ଏବଂ ସମାଜିକ ଦୂରତା ପାଳନ ନକରି ଅଧ୍ୟୟନ କରୁଥିବା ଦେଖିବାକୁ ମିଳୁଛି।

ନୂଆପଡ଼ା ଜିଲ୍ଲାରେ ସରକାରଙ୍କ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ଅନ୍‌ଲାଇନ୍‌ ଶିକ୍ଷାଦାନ ହେଉଥିଲା। ଅନେକ ଛାତ୍ରଛାତ୍ରୀ ଏହି ଶିକ୍ଷାଦାନରୁ ବଞ୍ଚିତ ହେଉଥିଲେ। ସେଥିପାଇଁ ବିଭିନ୍ନ ଗାଁରେ ଗୋଷ୍ଠୀ ଶ୍ରେଣୀ ମାଧ୍ୟମରେ ୧୫ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ନେଇ ପାଠ ପଢ଼ାଯାଉଥିଲା। ଜିଲ୍ଲା ଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ୭୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ୍‌ କିଂବା ନେଟ୍‌ୱର୍କ ନଥିବାରୁ ଅନ୍‌ଲାଇନ୍‌ କ୍ଲାସ୍‌ କରିପାରୁ ନଥିଲେ। ଏହି ଛାତ୍ରଛାତୀଙ୍କୁ ଅସ୍ଥାୟୀ ଶିକ୍ଷା କେନ୍ଦ୍ରରେ ଶିକ୍ଷାଦାନ ଦିଆଯାଉଥିଲା। ଏହି ସମୟରେ କରୋନାର ସମସ୍ତ ନିୟମକୁ ପାଳନ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଥିଲା। କିନ୍ତୁ ବାସ୍ତବରେ ଚିତ୍ର କିନ୍ତୁ ଅଲଗା ଦେଖିବାକୁ ମିଳୁଛି। ଛୋଟଛୋଟ ‌କୋଠରିରେ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ବସାଇ କରୋନାର ନିୟମକୁ ଉଲ୍ଲଂଘନ କରାଯାଇଛି।

ରାଜ୍ୟ ସରକାର ଗୋଷ୍ଠୀ ଶିକ୍ଷାଦାନ କରାଇବା ପାଇଁ କୌଣସି ନିର୍ଦେଶନାମା ଜାରି କରିନଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ନିଜ ଇଚ୍ଛାରେ ଶିକ୍ଷା‌ ସମ୍ପୃକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିବା ଅନେକ ଆଶଙ୍କା ସୃଷ୍ଟି କରିଛି। ଦୀର୍ଘ ୨ବର୍ଷ ହେବ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଏକ ପ୍ରକାର ଠପ୍ ହୋଇଯାଇଥିବାରୁ ଅଭିଭାବକମାନେ ଶିକ୍ଷ‌ାଦାନ ପାଇଁ ସହମତି ପ୍ରକାଶ କରିଥିଲେ ମଧ୍ୟ ମନରେ ସଂକ୍ରମଣର ଭୟ ରହୁଛି ବୋଲି କହିଛନ୍ତି। ଦ୍ବିତୀୟ ଲହରରେ ନୂଆପଡ଼ା ଜିଲ୍ଲାରେ କରୋନା ଗ୍ରାଫ ଉପରମୁହାଁ ହୋଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିଲା। ଶିକ୍ଷା ସମ୍ପୃକ୍ତି ଦ୍ବାରା ଜିଲ୍ଲାରେ କରୋନାର ସଂକ୍ରମଣ ଯଦି ବୃଦ୍ଧିପାଏ, ଏହାଦ୍ବାରା ଛୋଟ ଶିଶୁମାନେ ଯଦି ମାତ୍ରାଧିକ ସଂକ୍ରମଣ ହୁଅନ୍ତି ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠୁଛି? ଗଣମାଧ୍ୟମ ପ୍ରତିନିଧିମାନେ ଏନେଇ ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କୁ ପଚାରିବାରୁ, ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମଣର ହେବାର ଆଶଙ୍କା ରହିଛି। ଆମେ ସେଥିପାଇଁ ଯତ୍ନବାନ ଅଛୁ। ଅତି ଛୋଟ ଛୋଟ ଗ୍ରୁପ୍‌ରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା‌ ଯାଉଛି ବୋଲି କହିଛନ୍ତି।

The post ଶିଶୁଙ୍କ ଜୀବନକୁ ବିପଦ: ଗୋଷ୍ଠୀ ଶିକ୍ଷାଦାନ ନାଁରେ କରୋନା ନିୟମକୁ ଫୁଃ first appeared on Sambad.

from ଜିଲ୍ଲା | Sambad https://ift.tt/3hfGmPw