ଜୟପୁର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବାରମ୍ବାର ସାମ୍ବାଦିକମାନଙ୍କୁ ର୍ଦୁବ୍ୟବହାର କରାଯାଉଛି, ଯାହାର ସତ୍ୟାସତ୍ୟ ଘଟଣା ପୁରୀ ଜିଲ୍ଲା ଗୋପ ଓ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି । ନିକଟରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ବିଜେପିର ଗଣଧାରଣା ଚାଲିଥିବା ସମୟରେ କାର୍ଯ୍ୟରତ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ନେଇ ସାମ୍ବାଦିକ ଭୀମସେନ ସେଠି ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ କରିଥିଲେ। ଏହାକୁ ନେଇ ଜୁଲାଇ ୨୧ ତାରିଖ ଅପରାହ୍ନରେ ମହିଳା କନେଷ୍ଟବଳ ପିନୁ ନାୟକ ସାମ୍ବାଦିକ ଶ୍ରୀ ସେଠିଙ୍କୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଉପରିସ୍ଥ ଅଧିକାରୀଙ୍କ ସମ୍ମୁଖରେ ରାସ୍ତା ଉପରେ ଜାତିଆଣ ଆକ୍ଷେପ କରିବା ସହିତ ମାଡ଼ମାରିଥିଲେ ।

ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଉକ୍ତ ଘଟଣାକୁ କୋରାପୁଟ ଜିଲ୍ଲା ଓଡ଼ିଶା ସାମ୍ବାଦିକ ସଂଘ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । କୋରାପୁଟ ଜିଲ୍ଲା ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ତଥା ଜିଲ୍ଲା ସଭାପତି କେ. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ହରିଶ ପଟ୍ଟନାୟକ, ଜୟସିଂ ପଡ଼ାସେଠୀ, ସମ୍ପାଦକ ରବିଶଙ୍କର ମହାପାତ୍ର ଙ୍କ ସମେତ ସଦସ୍ୟ ସରୋଜ କୁମାର ଲେଙ୍କା, ସୁଶାନ୍ତ କୁମାର ବାଙ୍କ, ଅଚ୍ୟୁତ ଗୁଣ୍ଠା, ରୂପ ଖରା ପ୍ରମୁଖ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜୟପୁର ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାକୁ ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଖରା ଗ୍ରହଣ କରିଥିଲେ। ଶୀଘ୍ର ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ, ଉପରୋକ୍ତ ଘଟଣାରେ ତଦନ୍ତ କରାଯାଇ ମହିଳା କନେଷ୍ଟବଳଙ୍କୁ ଗିରଫ କରି କାର୍ଯ୍ୟରୁ ନିଲମ୍ବନ ଓ ପୁରୀ ଜିଲ୍ଲା ଗୋପ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆଦି ରହିଛି।

The post ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ: କେନ୍ଦ୍ରାପଡ଼ା ମହିଳା କନେଷ୍ଟବଳଙ୍କୁ ଗିରଫ ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3yf8NTQ