
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ବେଆଇନ ମଦ କାରବାର ବଢ଼ିବାରେ ଲାଗିଛି। ବିଶେଷ କରି ଖୋଲା ଦେଶୀ ମଦ କୁଚିଆ ଜରିଆରେ ବିକ୍ରି ହେଉଛି। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଠି ଏହି ମଦର କାରବାର ବଢ଼ିଛି। ତଥାପି ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ଗାଁ ଗହଳିରେ ଖୋଲାଖୋଲି ଚୋରା ଦେଶୀ ମଦ ବିକ୍ରି ହେଉଛି। ଗାଁ ଗାଁରେ ଚାଲିଛି କୁଚିଆ ମଦଭାଟି। ଜଙ୍ଗଲ ଭିତରେ ନାଳ ଓ ନଦୀ ପାର୍ଶ୍ବରେ ଛୋଟ ଛୋଟ ମଦ କାରଖାନା ଗଢ଼ିଉଠିଛି। ଏହି ଛୋଟ କାରଖାନାରୁ ପ୍ରତିଦିନ ବିଭିନ୍ନ ଗାଁ ଓ ସହରକୁ ମଦ ଚାଲାଣ ହେଉଛି। ଚୋରା ମଦ ବିଷାକ୍ତ ହୋଇଥିବା ବେଳେ ତାହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଅବକାରୀ ବିଭାଗ ପକ୍ଷରୁ ମଦ ଧରପଗଡ଼ ମାମଲା ବୃଦ୍ଧି ପାଇଛି। ତଥାପି ବେଆଇନ ମଦ କାରବାରକୁ ରୋକ ଲଗାଯାଇ ପାରିନାହିଁ। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର, ତରଭା, ଉଲୁଣ୍ତା, ବୀରମହାରାଜପୁର, ବିନିକା, ଡୁଙ୍ଗୁରିପାଲି ଆଦି ବ୍ଲକ୍ ଅଂଚଳରେ ଥିବା ଜଙ୍ଗଲଗୁଡ଼ିକରେ ମଦ ମାଫିଆମାନେ ବେଆଇନ ଭାବରେ ମଦ ରାନ୍ଧି ଅନାୟସରେ ବାହାରକୁ ପଠାଉଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ସମୟରେ ଅବକାରୀ ଧରପଗଡ଼ ହେଉଥିଲେ ମଧ୍ୟ ମଦ ମାଫିଆ ରାଜ ଜିଲ୍ଲାରେ କମୁନାହିଁ। ଜଙ୍ଗଲ ଭିତରେ ଚଢ଼ଉ ହେଉଥିଲେ ମଧ୍ୟ ଅଭିଯୁକ୍ତମାନେ ଆଗୁଆ ସୂଚନା ପାଇ ଖସିଯିବାରେ ସକ୍ଷମ ହେଉଛନ୍ତି।

ଜିଲ୍ଲାରେ ମାସକୁ ପ୍ରାୟ ସାଢ଼େ ୩ ଲକ୍ଷ ଲିଟରରୁ ଅଧିକ ଦେଶୀ ଓ ବିଦେଶୀ ମଦ ବିକ୍ରି ହୋଇଥାଏ। ଏହି ହିସାବ ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନ ଅନୁଯାୟୀ ହୋଇଥିବା ବେଳେ ବେଆଇନ ଭାବରେ ୫ ଲକ୍ଷ ଲିଟରରୁ କମ ହେବ ନାହିଁ। ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ଚୋରାରେ ଅଧିକ ପରିମାଣ ଦେଶୀ ଓ ବିଦେଶୀ ମଦ ବିକ୍ରି କରି ରାଜସ୍ବ ଫାଙ୍କୁଥିବା ମଧ୍ୟ ଅଭିଯୋଗ ହୋଇଛି। ଜିଲ୍ଲାରୁ ମାସକ ପ୍ରାୟ ଦେଢ଼କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିବା ଜଣାଯାଇଛି। ସେହିପରି ଜିଲ୍ଲାରେ ବାହାର ଜିଲ୍ଲା ଏବଂ ସୁବର୍ଣ୍ଣପୁର ଜିଲ୍ଲାର କିଛି ମଦ ମାଫିଆ ସକ୍ରିୟ ରହିଥିଲେ ମଧ୍ୟ ଏମାନଙ୍କ ପାଖକୁ ଅବକାରୀ କିଂବା ପୁଲିସ ବିଭାଗ ପହଞ୍ଚି ପାରୁ ନାହିଁ। ଯାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠୁଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ପୁଲିସ ଓ ଅବକାରୀ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
The post ସୁବର୍ଣ୍ଣପୁର ଜିଲ୍ଲାରେ ବଢୁଛି ବେଆଇନ ମଦ କାରବାର, ଜଙ୍ଗଲ ଭିତରେ ଚାଲିଛି ମଦ କାରଖାନା first appeared on Sambad.from ଜିଲ୍ଲା | Sambad https://ift.tt/3eaMyGG
0 Comments