କୋଇଡ଼ା: କୋଇଡ଼ା ଖଣି ମଣ୍ତଳ ଅନ୍ତର୍ଗତ ରେ଼ଞ୍ଜଡ଼ା, ବିମଳାଗଡ଼, ରକ୍ସି, ପାଟାସାହି, ବରସୁଁଆ, ଚାନ୍ଦିପୋଷ ଏହି ଛଅଗୋଟି ରେଳସାଇଡିଂରୁ ପ୍ରତ୍ୟେକ ଦିନ ୫୦ ହଜାରେ ମେଟ୍ରିକ୍ ଟନ୍ ଲୁହାପଥର ପରିବହନ କରାଯାଇଥାଏ। କିନ୍ତୁ ଦୀର୍ଘ ଦୁଇ ମାସ ହେବ ଖଣି ମାଲିକମାନେ କମ୍‌ ଖର୍ଚ୍ଚ ଅଧିକ ଆୟ ଲୋଭରେ ଅନ୍ୟ ଜିଲ୍ଲାର ରେଳ ସାଇଡିଂକୁ ବିପୁଳ ପରିମାଣର ଲୁହପଥର ପରିବହନ ଜାରିରଖିଛନ୍ତି। ଯାହା ଫଳରେ କୋଇଡ଼ା ଖଣି ଅଞ୍ଚଳର ଗାଡ଼ି ମାଲିକ ଓ ଶ୍ରମିକମା‌ନେ ହାତ ବାନ୍ଧି ବସିଛନ୍ତି। ଦିନ ମଜୁରିଆ ବା ରେଳ ସାଇଡିଂରେ କାର୍ଯ୍ୟ କରୁଥିବା ଦଶରୁ ବାର ହଜାର ଶ୍ରମିକ ରୋଜଗାର ହରାଇ ବସିଛନ୍ତି।

କୋଇଡ଼ା ଖଣି ଅଞ୍ଚଳରେ ଅନେକ ଖଣିରୁ ଲୌହପଥର ଅନ୍ୟ ଜିଲ୍ଲାର ରେଳ ସାଇଡିଂ ଯଥା ବଡ଼ବିଲ, ବାଂଶପାଣି,  ଜୁରୁଡିହି, ବସନ୍ତପୁର ଇତ୍ୟାଦିକୁ ପରିବହନ କରାଯାଉଛି। ଫଳରେ ସ୍ଥାନୀୟ ଟ୍ରକ୍  ମାଲିକ ସମେତ ହଜାର ହଜାର ଶ୍ରମିକଙ୍କ ଘରେ ଏବେ ଚୁଲି ଜଳିବା କଷ୍ଟକର ହୋଇଛି। ଏଥିରୁ ସ୍ପଷ୍ଟ ଖଣି ମାଲିକ ଏବଂ ପରିବହନ କାରୀ ସଂସ୍ଥା ନିଜ ସ୍ୱାର୍ଥ ହାସଲ ପାଇଁ ଦିନମଜୁରିଆଙ୍କ ପେଟରେ ନାତ ମାରୁଛନ୍ତି। ଯଦି ଏହିଭଳି ଶ୍ରମିକ ମାରଣନୀତି ଜାରିରହେ ଏବଂ ଜିଲ୍ଲା ପ୍ରସାଶନ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗାମୀ ଦିନରେ  ସିଆଇଟିୟୁ ଶ୍ରମିକ ସଂଗଠନ ସମେତ ସ୍ଥାନୀୟ ଗାଡ଼ି ମାଲିକ ଧର୍ମଘଟକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ତା।

The post ରେଳସାଇଡିଂ ବନ୍ଦ: ହାତବାନ୍ଧି ବସିଛନ୍ତି ୧୨ ହଜାର ଶ୍ରମିକ first appeared on Sambad.

from ଜିଲ୍ଲା | Sambad https://ift.tt/3x6lcI3