ଦେବଗଡ଼: ବାରକୋଟ ବ୍ଲକ୍‌ ଅନ୍ତର୍ଗତ ମସିନ୍ତା ଗ୍ରାମ ଜଙ୍ଗଲରୁ ଏକ ୩ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଶିଶୁଟିକୁ ନିଜ ଦାୟିତ୍ବକୁ ନେଇ ଚିକିତ୍ସା କରାଯାଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ତେବେ ପିମ୍ପୁଡ଼ି ଓ ପୋକ କାମୁଡ଼ି ତାକୁ କ୍ଷତାକ୍ତ କରି ଦେଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସେ‌ାମବାର ରାତିରେ ମସିନ୍ତା ଗ୍ରାମ ନିକଟ ଜଙ୍ଗଲରୁ ଏକ ଶିଶୁର କନ୍ଦିବା ସ୍ବର ଶୁଣି ଗ୍ରାମବାସୀମାନେ ପ୍ରଥମେ ଭୟ କରିଥିଲେ। ତେବେ ସାହସ ବାନ୍ଧି ଗ୍ରାମର ଜଣେ ମହିଳା ସରସ୍ଵତୀ ମାଝୀ ଓ ସ୍ଵାମୀ ରାଜେଶ ଜଙ୍ଗଲ ଭିତରକୁ ଯାଇ ଖୋଜାଖୋଜି କରିଥିଲେ। ଗୋଟେ ଗଛମୂଳରୁ ଶିଶୁ ପୁତ୍ରକୁ ପାଇଥିଲେ।

ଶିଶୁକୁ କୋଳେଇ ନେଇ ଗ୍ରାମର ବିର୍ସା ଟୁରିକୁ ରଖିବାକୁ ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ କାଦପଡ଼ା ସରପଞ୍ଚ ଦମୟନ୍ତୀ ମାଝି ଓ ଯୁବ ସ୍ବେଚ୍ଛାସେବୀ ଯଶୋବନ୍ତ ସାହୁ ଓ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କୁ ସୂଚନା ଦେଇଥିଲେ। ସକାଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର, ଚାଇଲ୍‌ଡଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜ ଓ ଶିଶୁ ଗୃହର ପରାମର୍ଶଦାତ୍ରୀ ସୁଭଦ୍ରା ସାହୁ ଏବଂ ବାରକୋଟ ଥାନା ଏସଆଇ ଦେବବ୍ରତ ନାୟକ ମସିନ୍ତା ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ। ଜଙ୍ଗଲ ମଧ୍ୟକୁ ଯାଇ ଶିଶୁ ଉଦ୍ଧାର ହୋଇଥିବା ସ୍ଥାନ ନିରୀକ୍ଷଣ କରିଥିଲେ। କିଛି ଦିନ ତଳେ ଶିଶୁଟି ଟିକା ନେଇଥିବା ତଦନ୍ତରୁ ଜଣାପଡ଼ିଛି। ଶିଶୁକୁ ନିଜ ପାଖରେ ରଖିବାର ଜିଦ୍‌ ସତ୍ତ୍ବେ ବିର୍ସା ପାଖରୁ ଶିଶୁ ପୁତ୍ରକୁ ଗ୍ରହଣ କରି ଶ୍ରୀ ମହାପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେଠାରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସମୟରେ ଶିଶୁକୁ ପିମ୍ପୁଡି ଓ ପୋକ କାମୁଡ଼ି କ୍ଷତାକ୍ତ କରିଦେଇଛନ୍ତି। ଡା. ମାରସାଙ୍ଗ ମୁର୍ମୁ ଶିଶୁର ଚିକିତ୍ସା କରୁଛନ୍ତି। ଶିଶୁର ଓଜନ ୪ କିଲୋ ଓ ସ୍ୱାସ୍ଥ୍ୟବସ୍ଥା ଠିକ ଅଛି। ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶକ୍ରମେ ଶିଶୁକୁ ବର୍ତମାନ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଆଶ୍ରୟ ଦିଅଯାଇଛି। ୩୦ ଦିନ ମଧ୍ୟରେ ଯଦି ଶିଶୁକୁ ଗ୍ରହଣ କରିବା ପାଇଁ କେହି ଦାବିଦାର ନ ଆସନ୍ତି ତାହା ହେଲେ ପୋଷ୍ୟ ଗ୍ରହଣ ଆଇନ ଅନୁଯାୟୀ ଶିଶୁର ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

The post ମସିନ୍ତା ଜଙ୍ଗଲରୁ ୩ ମାସର ଶିଶୁ ପୁତ୍ର ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3efI01E