
ପୋଲସରା : ଟିକାକେନ୍ଦ୍ରରେ ଅନ୍ଲାଇନ୍ ସ୍ଲଟ୍ ବୁକିଂ କରି ଆସିଥିବା ଏବଂ ସ୍ପଟ୍ ରେଜିଷ୍ଟ୍ରେସନ୍ କରିବାକୁ ଆସିଥିବା ଲୋକଙ୍କ ଅସମ୍ଭବ ଭିଡ଼ ଲାଗିଥିଲା। ଶେଷରେ ଠେଲାପେଲାରୁ ଦଳାଚକଟା ମଧ୍ୟ ହେଲା। ଟିକା ନେବାକୁ ଆସିଥିବା ଜଣେ ମହିଳା ଏତିକି ବେଳେ ତଳେ ପଡ଼ିଯିବାରୁ ଦଳାଚକଟାରେ ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଛି। ମହିଳାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପୋଲସରା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା।
ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଏନ୍ଏସି କାର୍ଯ୍ୟାଳୟ ନିକଟ କଲ୍ୟାଣମଣ୍ଡପ ଟିକା କେନ୍ଦ୍ରରେ। ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଉକ୍ତ କଲ୍ୟାଣ ମଣ୍ଡପରେ ଦିନ ୯ରୁ କରୋନା ଟିକାକରଣ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ସେଥିପାଇଁ ବ୍ଲକ୍ ଓ ଏନ୍ଏସି ଅଞ୍ଚଳରୁ ଶହ ଶହ ଲୋକ ଟିକା ନେବା ପାଇଁ ଭିଡ଼ ଲଗାଇଥିଲେ। ୯ଟାରେ କଲ୍ୟାଣ ମଣ୍ଡପ ଫାଟକ ଖୋଲାଯିବା ବେଳେ ଉପସ୍ଥିତ ଲୋକେ ଠେଲାପେଲା ହୋଇ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। କିଛି ଲୋକ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ଦଳଚକଟା ହୋଇଥିଲା। ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଲକ୍ଷ୍ମଣପଲ୍ଲୀ ଗ୍ରାମର ଭାନୁମତି ସାହୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।
ତେବେ ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିବାରୁ ଡାକ୍ତରମାନେ ତୁରନ୍ତ ଅସ୍ତ୍ରୋପଚାର ପାଇଁ କହିଛନ୍ତି। ଏଥିପାଇଁ ଲକ୍ଷାଧିକ ଟଙ୍କା ଦରକାର ହେଉଥିବା ବେଳେ ଭାନୁମତିଙ୍କ ପୁଅ ବୁଲୁଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ଅସମ୍ଭବ। ଟଙ୍କା ଯୋଗାଡ଼ କରି ନପାରି ମେଡିକାଲରୁ ମା’ଙ୍କୁ ଘରକୁ ଫେରାଇ ଆଣିଛନ୍ତି। ବୁଲୁ ଗରିବ ଶ୍ରେଣୀର ଓ ପରିବା ବିକି ପରିବାର ଚଳାନ୍ତି। ମା’ ଏବେ ଘରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ସାଜିଛି। ତୁରନ୍ତ ଚିକିତ୍ସା ପାଇଁ ପ୍ରଶାସନ ସହାୟତା କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
The post ଟିକାକେନ୍ଦ୍ରରେ ଦଳାଚକଟା, ମହିଳାଙ୍କ ହାଡ଼ ଭାଙ୍ଗିଲା first appeared on Sambad.from ଜିଲ୍ଲା | Sambad https://ift.tt/3jXHn0g
0 Comments