ବଲାଙ୍ଗୀର : ସାରା ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। ଦଶମ ଶ୍ରେଣୀ ପିଲାମାନେ ସ୍କୁଲ ଖୋଲିବା ପରେ ବେଶ୍‌ ଉତ୍ସାହିତ ହୋଇ ସ୍କୁଲକୁ ଆସୁଛନ୍ତି। ଶିକ୍ଷକମାନଙ୍କ ଭିତରେ ବି ଉତ୍ସାହ ବଢ଼ିଛି। କ୍ଲାସ୍‌ କେମିତି ଠିକଠାକ ହେବ ସେ ଦିଗରେ ସବୁ ପ୍ରକାର ଉଦ୍ୟମ ଚାଲିଛି। ସ୍କୁଲଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରି ପାଠପଢ଼ା ଚାଲିଛି। ତଥାପି ଅଧା ପିଲା ସ୍କୁଲ ଆସୁ ନାହାନ୍ତି। ସେମାନେ ସବୁ ଅନ୍‌ଲାଇନ ମାଧ୍ୟମରେ ପାଠପଢୁଛନ୍ତି ବୋଲି ଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ। ଦିନକୁ ଦିନ ଉପସ୍ଥାନ ବଢୁଥିଲେ ହେଁ ଶତପ୍ରତିଶତ ପିଲା କୌଣସି ବିଦ୍ୟାଳୟକୁ ଆସୁ ନାହାନ୍ତି। କିଛି ଅଭିଭାବକ ତୃତୀୟ ଲହର ଭୟରେ ପିଲାଙ୍କୁ ସ୍କୁଲ ଛାଡୁନଥିବା ବେଳେ ଆଉ କିଛି ପାଣିପାଗ ତଥା ବର୍ଷା କାରଣରୁ ସ୍କୁଲକୁ ପିଲାଙ୍କୁ ଛାଡ଼ିନଥିବା ଅଭିଭାବକମାନେ କହୁଛନ୍ତି।

ଗ୍ରାଉଣ୍ଡ ଜିରୋରେ କଣ ରହିଛି ସ୍ଥିତି ଆଜି ଆମେ ପରଖିବାରୁ ସବୁ ସ୍କୁଲରେ ୫୦ ପ୍ରତିଶତ ପାଖାପାଖି ପିଲା ହିଁ ରହୁଥିବା ଦେଖାଯାଇଛି। ବଲାଙ୍ଗୀର ଟାଉନ ବାଳକ ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ର ସଂଖ୍ୟା ହେଉଛି ୫୯। ହେଲେ ପ୍ରଥମ ଦିନରେ ଆସିଥିଲେ ୨୩ ଜଣ ଓ ଆଜିର ଉପସ୍ଥାନ ଥିଲା ମାତ୍ର ୧୪। ପ୍ରାଧାନ ଶିକ୍ଷକଙ୍କ କହିବା ଅନୁସାରେ, ପାଣିପାଗ ଠିକ ନଥିବାରୁ କମିଛି ଉପସ୍ଥାନ। କେତେ ଜଣ ଅଭିଭାବକ କରୋନା କାଳରେ ପିଲାଙ୍କୁ ଛାଡୁନଥିବା ସେ କହିଛନ୍ତି। ଯେଉଁମାନେ ଆସୁନାହାନ୍ତି ସେମାନେ ସବୁ ସରକାରଙ୍କ ନିୟମ ଅନୁସାରେ ଚାଲିଥିବା ଅନ୍‌ଲାଇନ୍‌ କ୍ଲାସ କରୁଥିବା ସେ କହିଥିଲେ। ସେହିପରି ପିପି ଏକାଡେମିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଉପସ୍ଥାନ ପ୍ରାୟ ୫୦ ପ୍ରତିଶତ ରହୁଛି।

ସାରା ଜିଲ୍ଲାର ତଥ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ନେବାରୁ ଜଣାପଡ଼ିଛି ସବୁ ବିଦ୍ୟାଳୟରେ ଅଧା ପିଲା ଆସୁଛନ୍ତି ଓ ଅଧା ଘରେ ରହି ପାଠପଢୁଛନ୍ତି। ଜିଲ୍ଲାରେ ସମୁଦାୟ ଓଡ଼ିଆ, ଇଂରାଜୀ ମଧ୍ୟ ହାଇସ୍କୁଲ ମିଶି ୪୦୧ଟି ରହିଛି। ସେ ସବୁରେ ୨୯ହଜାର ୫୫୧ ଛାତ୍ରଛାତ୍ରୀ ପାଠପଢୁଛନ୍ତି। ପ୍ରଥମ ଦିନ ୩୬ ପ୍ରତିଶତ ଉପସ୍ଥାନ ଥିଲା। ଦ୍ୱିତୀୟ ଦିନ କିଛିଟା ବଢ଼ି ୫୨ ଓ ପରେ ୫୬ ପ୍ରତିଶତ ହୋଇଥିଲା। ହେଲେ ଆଜି ବର୍ଷା ପାଗ ଯୋଗୁଁ ୪୭ ପ୍ରତିଶତ ପିଲା ସ୍କୁଲକୁ ଆସିଥିବା ସୂଚନା ମିଳିଛି। ମୋଟାମୋଟି ହାଇସ୍କୁଲଗୁଡ଼ିକୁ ଅଧା ପିଲା ପାଠପଢ଼ିବାକୁ ଆସୁଥିବା ବେଳେ ଅଧା ଆସୁ ନାହାନ୍ତି।

The post ଘାରିଛି ସଂକ୍ରମଣ ଭୟ, ସ୍କୁଲ ଆସୁ ନାହାନ୍ତି ଅଧା ପିଲା first appeared on Sambad.

from ଜିଲ୍ଲା | Sambad https://ift.tt/3ibU72f