ବରଗଡ଼ : ଉଭୟ ବରଗଡ଼ ଏବଂ ଅମ୍ବାପାଲିବାସୀଙ୍କ ଦୁଃଖ ବଢ଼ିଲା। ଉପରମୁଣ୍ଡରେ ବର୍ଷା ଯୋଗୁଁ ଜୀରା ନଦୀରେ ପାଣି ସୁଅ ବଢ଼ିଛି। ଫଳରେ ବୁଧବାର ବିଳମ୍ବିତ ସଂଧ୍ୟାରେ ଜୀରା ନଦୀର ଆପ୍ରୋଚ୍‌ ରୋଡ୍‌ ଧୋଇ ହୋଇଯାଇଛି। ଫଳରେ ଅମ୍ବାପାଲି ଏବଂ ବରଗଡ଼ ମଧ୍ୟରେ ସିଧା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅଚାନକ ରାସ୍ତା ଧସି ଯିବାରୁ ନଦୀ ଭିତରେ ଅଧାବାଟ ଯାଇଥିବା ଲୋକେ ପ୍ରାଣ ବିକଳରେ କୁଳକୁ ଆସିଥିଲେ। ସେଠାରୁ ପୁଣି ୫ କିଲୋମିଟର୍‌ ବୁଲି ଗନ୍ତବ୍ୟସ୍ଥଳକୁ ଯାଇଥିଲେ।

ଆଗକୁ ବର୍ଷା ହେବା ପୂର୍ବାନୁମାନ ଥିବାରୁ ଏହି ଆପ୍ରୋଚ୍‌ ରାସ୍ତା ପୁନଃ ନିର୍ମାଣ ସହ ଯାନବାହାନ ଚଳାଚଳ ସ୍ବାଭାବିକ ‌ହେବା ମୁସ୍କିଲ। ସମ୍ଭବତଃ କିଛି ଦିନ ବରଗଡ଼-ଅମ୍ବାପାଲି ମଧ୍ୟରେ ସିଧା ଯୋଗାଯୋଗ ବିଚ୍ଛିନ୍ନ ହେବ। ଅନ୍ୟପକ୍ଷରେ ଜୀରା ନଦୀରେ ଚାଲିଥିବା ବ୍ରିଜ୍‌ କାମ ମନ୍ଥର ଗତିରେ ଚାଲିଛି। ବ୍ରିଜ୍‌ ନିର୍ମାଣର ଅବଧି ୩ ବର୍ଷ ଅତିକ୍ରାନ୍ତ କରି ସାରିଛି। ଏବେ ୧୨ଟି ପିଲର୍‌ ସଂପୂର୍ଣ୍ଣ ନିର୍ମାଣ ହୋଇ ସାରିଛି। କିନ୍ତୁ ଗୋଟିଏ ମାତ୍ର ସ୍ଲାବିଂ କାମ ହୋଇଛି। ବ୍ରିଜ୍‌ ନିର୍ମାଣ ତ୍ବରାନ୍ବିତ କରିବା ପାଇଁ ବାରମ୍ବାର ଦାବି ହୋଇ ଆସିଛି। ତେବେ ମନ୍ଥର କାମ ଲୋକଙ୍କ ଚିନ୍ତା ଦ୍ବିଗୁଣିତ କରିଛି। କାମ ଯେଉଁ ଭଳି ଭାବେ ଚାଲିଛି, ବ୍ରିଜ୍‌ ସଂପୂର୍ଣ୍ଣ ହେବାରୁ ଆହୁରି ବର୍ଷେରୁ ଅଧିକ ସମୟ ଲାଗିବ।

The post ଧସିଗଲା ଜୀରା ଆପ୍ରୋଚ୍‌ ରାସ୍ତା, ବରଗଡ଼-ଅମ୍ବାପାଲି ବିଚ୍ଛିନ୍ନ first appeared on Sambad.

from ଜିଲ୍ଲା | Sambad https://ift.tt/3kIR3wc