
କେନ୍ଦୁଝର/ଯୋଡ଼ା/ରାଇସୁଆଁ/ରିଆମାଳ : କେନ୍ଦୁଝର ଓ ଦେବଗଡ଼ରେ ସାପ କାମୁଡ଼ାରେ ୬ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି, ସ୍ବାମୀ-ସ୍ତ୍ରୀ ଓ ଆଈ-ନାତୁଣୀ। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।
କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସାପ କାମୁଡ଼ାରେ ଦମ୍ପତିଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଟାଉନ ଥାନା ବଲାଣିପଶି ନିକଟସ୍ଥ ଘଉଳଧୁଆକଂସ ଗ୍ରାମରେ ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗ୍ରାମର ଶୁକଦେବ ଜୁଆଙ୍ଗ (୫୫) ଓ ପତ୍ନୀ ଟିକିଲି ଜୁଆଙ୍ଗ (୪୯)। ଉଭୟ ଗତକାଲି ରାତିରେ ଘରେ ଶୋଇଥିବାବେଳେ ଏକ ଚିତିସାପ ସେମାନଙ୍କୁ କାମୁଡ଼ି ଥିଲା। ସକାଳୁ ପରିବାର ଲୋକେ ଗୁଣିଆ ଡାକି ଝଡ଼ାପୁଙ୍କା କରିଥିଲେ। ଫଳରେ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଶେଷରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ଣ ୧୦ଟାବେଳେ ପ୍ରଥମେ ଟିକିଲିଙ୍କ ମୃତ୍ୟୁ ଘଟିଥିଲା। ପରେ ଦିନ ଗୋଟାଏ ବେଳେ ଶୁକଦେବ ଆଖିବୁଜି ଥିଲେ। ସେହିପରି ତେଲକୋଇ ବ୍ଲକ୍ କାଳିଆହତା ଗ୍ରାମରେ ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଦୁଃଖବନ୍ଧୁ ପାତ୍ରଙ୍କ ପୁଅ ପ୍ରଫୁଲ୍ଲ ପାତ୍ର (୫୨)। ବାମେବାରୀ ଥାନା ବଳଦା ଗ୍ରାମରେ ସର୍ପାଘାତରେ ଜଣେ ୧୨ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଅରୁଣ ଦେହୁରୀ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ, ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଞ୍ଚମହଲା ଗ୍ରାମରେ ସୋମବାର ସାପ କାମୁଡ଼ାରେ ଆଈ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କେର ଭୁତିଆ (୬୯) ଓ ମାନସୀ ଭୁତିଆ (୧୪)। ପ୍ରାପ୍ତ ସୂଚନାନୁସାରେ ଉକ୍ତ ଗ୍ରାମର ଚନ୍ଦ୍ର ଭୁତିଆଙ୍କ ଝିଅ ମାନସୀ ଶନିବାର ରାତିରେ ଖାଇପିଇ ଘରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ସେ ଜାଣିପାରି ଚିତ୍କାର କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠରେ ସେ ଚିକିତ୍ସାଧୀନ ଥିଲେ। ଠିକ୍ ପର ଦିନ ରବିବାର ରାତିରେ ଉକ୍ତ ଘରେ ଚନ୍ଦ୍ରଙ୍କ ମା ଅର୍ଥାତ୍ ସୁନିଅଁ ଭୁତିଆଙ୍କ ପତ୍ନୀ କେର ମଧ୍ୟ ଖାଇ ପିଇ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ଜାଣି ପାରି ତାଙ୍କୁ ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନା ଓ ପରେ ଅନୁଗୁଳ ମେଡିକାଲକୁ ନେଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଉଭୟ ଆଈ-ନାତୁଣୀ ଅର୍ଥାତ୍ କେର ଓ ମାନସୀଙ୍କ ମୃତ୍ୟୁ ଘଟିଛି। ।
The post ସାପ କାମୁଡ଼ାରେ ୬ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3i1IRFn
0 Comments