ବେଗୁନିଆ: କରୋନା ମହାମାରୀ ସମୟରେ ଗ୍ରାମାଂଚଳରେ ମନରେଗା ଯୋଜନାରେ ଚାଲୁଥିବା ବିଭିନ୍ନ କାର୍ଯ୍ୟରେ କାର୍ଯ୍ୟରତ ଶ୍ରମିକଙ୍କ ଦୈନିକ ମଜୁରୀ ୫୦ ଟଙ୍କା ବୃଦ୍ଧି ଦାବିରେ ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି ବେଗୁନିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଆଜି ପୂର୍ବାହ୍ଣରେ ସଂଘର ଏକ ପ୍ରତିନିଧି ଦଳ ବେଗୁନିଆ ବିଡିଓ ରଶ୍ମୀରେଖା ଦାସଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେଇଥିଲେ । ଏଥିରେ ସଂଘ ପକ୍ଷରୁ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଲକ୍ଡାଉନ୍ ଓ ସଟ୍ ଡାଉନ୍ ଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହି ସମୟରେ କାମଧନ୍ଦା ନପାଇ ଶ୍ରମିକଙ୍କ ଆର୍ଥିକ ଦୁର୍ଦ୍ଦଶା ସମ୍ପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ ଶ୍ରମିକଙ୍କ ଆର୍ଥିକ ସମସ୍ୟା ଦୂର କରିବାକୁ ମନରେଗା ଯୋଜନାର କାମଗୁଡ଼ିକରେ ଦୈନିକ ମଜୁରୀରେ ଅତିରିକ୍ତ ୫୦ ଟଙ୍କା ଅଧିକ ପ୍ରଦାନ କରାଯାଉ, ଏନେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଉ, ପ୍ରତ୍ୟେକ ପଂଚାୟତରେ ମନରେଗା ହିତାଧିକାରୀଙ୍କ ନାମ ତାଲିକା ସାର୍ବଜନୀନ କରାଯାଉ ଓ ଶ୍ରମିକଙ୍କୁ ୧୦୦ ଦିନର କାମ ନିଶ୍ଚିତ କରାଯାଉ । ଆଜିର ଏହି ସ୍ମାରକପତ୍ର ପ୍ରଦାନ ବେଳେ ସଂଘ ପକ୍ଷରୁ ବେଗୁନିଆ ବ୍ଲକ ସଭାପତି ଅକ୍ଷୟ କୁମାର ରଥ, ଶିବ ମୁନୀ ପ୍ରମୁଖ ଉପସ୍ଥିତ ଥିଲେ ।

The post ଶ୍ରମିକଙ୍କୁ ମନରେଗାରେ ବର୍ଦ୍ଧିତ ମଜୁରୀ ଦେବା ପାଇଁ ଭାରତୀୟ ମଜଦୁର ସଂଘର ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3efRLN5