ରେଢ଼ାଖୋଲ : ନିକଟରେ ଅନୁଷ୍ଠିତ ଜାତୀୟ ଆର୍ଥିକ ମେଧାବୃତ୍ତି ପରୀକ୍ଷାରେ ରେଢ଼ାଖୋଲ ଅଞ୍ଚଳର ଜଣେ ଚାଷୀଙ୍କ ପୁଅ ସମ୍ବଲପୁର ଜିଲ୍ଲା ଟପର୍‌ ହେବାର ଗୌରବ ଅର୍ଜନ କରିଛନ୍ତି। ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ନାମମାତ୍ର ଚାଷୀ ଦୀନବନ୍ଧୁ ପ୍ରଧାନଙ୍କ ପୁଅ ଶୁଭ୍ରାଂଶୁ କୁଟାସିଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀର ଛାତ୍ର ଅଛନ୍ତି। ଚଳିତ ବର୍ଷ ୨୦୨୦-୨୧ ଜାତୀୟ ଆର୍ଥିକ ମେଧାବୃତ୍ତି ପରୀକ୍ଷାରେ ସେ ଅଂଶଗ୍ରହଣ କରିଥିଲେ। ଶୁଭ୍ରାଂଶୁ ଜିଲ୍ଲାର ଅନ୍ୟ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ଟପ୍ପର୍‌ ହେବା ସହ ରେଢ଼ାଖୋଲ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି। ଏହା ଜଣାପଡିବା ପରେ ଅଞ୍ଚଳର ଶିକ୍ଷା ପ୍ରେମୀ ମହଲରେ ଖୁସିର ଲହର ଖେଳି ଯାଇଛି।

ବୁଧବାର କୃତି ଛାତ୍ର ଶୁଭ୍ରାଂଶୁଙ୍କୁ ସ୍କୁଲ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଧାନ ଶିକ୍ଷକ ସନ୍ତୋଷ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ଏବିଇଓ କ୍ଷେତ୍ରମଣି ପ୍ରଧାନ, ସିଆର୍‌ସିସି ଅନିଲ ମେହେର, ଶିକ୍ଷା କମିଟି ସଭାପତି ଦୀନବନ୍ଧୁ ପ୍ରଧାନ ଯୋଗଦେଇ ଶୁଭ୍ରାଂଶୁ ଓ ବାପା ଦୀନବନ୍ଧୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ସନ୍ତୋଷ ପ୍ରଧାନ, କବିତା ସାହୁ, ସଂଜ୍ଞାଦେବୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

The post ଜାତୀୟ ଆର୍ଥିକ ମେଧାବୃତ୍ତି ପରୀକ୍ଷା: ଚାଷୀଙ୍କ ପୁଅ ଜିଲ୍ଲା ଟପର୍‌, ସ୍କୁଲ୍‌ରେ ସମ୍ବର୍ଦ୍ଧନା first appeared on Sambad.

from ଜିଲ୍ଲା | Sambad https://ift.tt/36P5pmo