ମଝି ନଈରେ ଚୋର-ପୁଲିସ ଛକାପଞ୍ଝା

ପଟ୍ଟାମୁଣ୍ତାଇ : ମଝି ନଈରେ ପୁଲିସ ଓ ଚୋର ଭିତରେ ଛକାପଞ୍ଝ‌ା। ଚୋର ପାଣି ଭିତରେ କୋଉଠି ବୁଡ଼ି କୋଉଠି ଉଠୁଥିଲା ତାହା ଜାଣିବା ମୁସ୍କିଲ ହୋଇ ପଡ଼ିଥିଲା। କେତେବେଳେ ଅତଡ଼ା କଡ଼ରେ ଲୁଚି ଯାଉଥିଲା ତ ଆଉ କେତେବେଳେ ପହଁରି ପହଁରି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଉଥିଲା। କୌଣସି ଚଳଚ୍ଚିତ୍ରର ଦୃଶ୍ୟଠାରୁ ଏଭଳି ଘଟଣା କମ୍‌ ରୋମାଞ୍ଚକର ନ ଥିଲା। ନଈ ଭିତରେ ଏଭଳି ନାଟକୁ ନେଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ନାକେଦମ ହୋଇ ପଡ଼ିଥିଲେ।

ଦୀର୍ଘ ପାଞ୍ଚଘଣ୍ଟାର ଅକ୍ଳାନ୍ତ କସରତ ପରେ ଚୋରକୁ କାବୁ କରାଯାଇଥିଲା। ପଟ୍ଟାମୁଣ୍ଡାଇ ଅଞ୍ଚଳ‌ରେ ଘଟିଥିବା ଏଭଳି ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

‌ଗତ ୨ତାରିଖ ବିଳମ୍ବିତ ରାତିରେ ଦାଣ୍ତିସାହିସ୍ଥିତ ରାମମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିଲା। ୩ ତାରିଖ ଦିନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସନ୍ଦେହରେ ପୂର୍ବରୁ ଏକ ମୂର୍ତ୍ତି ଚୋରି ଘଟଣାରେ ସଂପୃକ୍ତ ଥିବା ନାହିଆଡ଼ିଆ ଗ୍ରାମର ପ୍ରଫୁଲ୍ଲ ମଳିକ ଓରଫ ଭରତକୁ ପୁଲିସ ଖୋଜିଥିଲା। ପୁଲିସ ଖୋଜୁଥିବା ଜାଣି ଭରତ ଘର ପାଖ ବ୍ରାହ୍ମଣୀ ନଦୀ କୂଳକୁ ଯାଇ ପାଣିକୁ ଡେଇଁ ପଡ଼ି ପହଁରି ପହଁରି ଆରପାରିକୁ ଖସିଯିବାକୁ ଉଦ୍ୟମ କରିଥିଲା। ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ନଦୀର ଉଭୟ ପଟକୁ ଘେରାଉ କରି ରଖିଥିଲା। ପୁଲିସଠୁ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ଯନ୍ତ୍ରଚାଳିତ ଡଙ୍ଗାରେ ଅଗ୍ନିଶମ କର୍ମଚାରୀମାନେ ନଈ ଭିତରେ ଭରତର ପିଛା କରିଥିଲେ। ହେଲେ, ଭରତକୁ ଧରିବାକୁ ସେମାନଙ୍କୁ କାଠିକର ପାଠ ହୋଇ ପଡ଼ିଥିଲା। ନଈ ତଳମୁହଁ ଆଡ଼କୁ ପହଁରି ଏକ ଅତଡ଼ାପାର୍ଶ୍ବରେ ଭରତ ଲୁଚି ରହିଥିଲା। ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚିବା ବେଳକୁ ଭରତ ପହଁରି ପହଁରି ପୁଣି ଗଭୀର ପାଣି ଭିତରକୁ ପଳାଉଥିଲା। ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ ନଈ ଭିତରେ ଏଭଳି ଲୁଚକାଳି ଖେଳ ଚାଲିଥିଲା। ଶେଷକୁ ତାକୁ କାବୁ କରାଯାଇଥିଲା।

ଭରତ ପାଖରୁ ଏକଫୁଟ ଉଚ୍ଚର ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ମୂର୍ତ୍ତିଗୁଡ଼ିକର ଓଜନ ପ୍ରାୟ ୧୦ କିଲୋ ହେବ। ଏହାଛଡ଼ା ଗୋଟିଏ ପିତଳ ଢାଳ, ଘଣ୍ଟି , ଦୀପ, ଥାଳି ସହ ତମ୍ବା ଥାଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ତା’ ନିକଟରୁ ଗୋଟିଏ ଗ୍ୟାସ୍‌ ସିଲିଣ୍ତର୍‌ ବି ଜବତ କରାଯାଇଛି। ଉଦ୍ଧାର ସାମଗ୍ରୀ ରାମମନ୍ଦିରର ବୋଲି ପୁଲିସ କହିଛି। ଆଜି ଭରତକୁ କୋର୍ଟଚାଲାଣ କରାଯିବା ସହ ମନ୍ଦିର ପରିଚାଳନା କମିଟିକୁ ଚୋରି ସାମଗ୍ରୀ ହସ୍ତାନ୍ତର କରାଯାଇଛି।

The post ମଝି ନଈରେ ଚୋର-ପୁଲିସ ଛକାପଞ୍ଝା first appeared on Sambad.

from ଜିଲ୍ଲା | Sambad https://ift.tt/3dHW3gc

Post a Comment

0 Comments