
ରାୟଗଡ଼ା : କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ଅଗଷ୍ଟ ୧ ତାରିଖରୁ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ଖୋଲିବା ନେଇ ରାଜ୍ୟ ସରକାର ନିର୍ଦେଶାବଳୀ ଜାରି କରିଛନ୍ତି। ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରି କୋଭିଡ଼୍ ଗାଇଡଲାଇନ୍ ମୁତାବକ ମନ୍ଦିର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ପରେ ରାୟଗଡ଼ା ମା’ ମଝିଘରିଆଣୀଙ୍କ ମନ୍ଦିର ଖୋଲିବା ନେଇ ଆଜି ବସିଥିଲା ବୈଠକ। ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ଦିର ପରିଚାଳନା ଟ୍ରଷ୍ଟ ସହ ଆଲୋଚନା ହୋଇଥିଲା। ନିଷ୍ପତ୍ତି ମୁତାବକ ମନ୍ଦିର ଖୋଲିବା ପରେ ବିନା ମାସ୍କରେ ମନ୍ଦିର ଭିତରକୁ କାହାକୁ ନ ଛାଡ଼ିବାକୁ ନିର୍ଦେଶ ହୋଇଛି। ସେହିପରି ବାହାରେ ନଡ଼ିଆ ଭୋଗ କରାଯିବ। ଭିତରେ ତାବିଜ୍ ବିକ୍ରି ଉପରେ ପ୍ରଶାସନ ରୋକ୍ ଲଗାଇଥିବା ବେଳେ କେବଳ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ତେବେ କେଉଁ ଦିନଠାରୁ ମା’ଙ୍କ ମନ୍ଦିର ଖୋଲିବ ସେ ନେଇ ୨/୩ ଦିନ ମଧ୍ୟରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିଷ୍ପତ୍ତି ନେବେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଓଡ଼ିଶାର ପ୍ରମୁଖ ମନ୍ଦିର ସମଲେଶ୍ବରୀ, କୋରାପୁଟର ଶାବର ଶ୍ରୀକ୍ଷେତ୍ର ସହିତ ଅନ୍ୟ କିଛି ମନ୍ଦିର ଖୋଲି ସାରିଲାଣି।
ମାର୍ଚ୍ଚ ମାସରେ କରୋନା ଦ୍ବିତୀୟ ଲହରୀ ଯୋଗୁ ମନ୍ଦିର ବନ୍ଦ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ୪ ମାସ ହେଲା ମନ୍ଦିର ବନ୍ଦ ଥିବାରୁ ବହୁ ମାନସିକଧାରୀ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଖୁବ୍ ଶୀଘ୍ର ମନ୍ଦିର ଖୋଲିବା ନେଇ ଆଜି ବୈଠକ ବସିବା ପରେ ଭକ୍ତଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ମଝିଘରିଆଣୀ ମନ୍ଦିର ଭଳି ଜିଲ୍ଲାର ଅନ୍ୟ ମନ୍ଦିର, ମସଜିଦ୍, ଗୀର୍ଜା ଖୋଲିବା ଦିଗରେ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍ ଓ ଶିଖ୍ ଧର୍ମର ଧର୍ମଗୁରୁ, କମିଟି ସଦସ୍ୟ ଯୋଗ ଦେଇଥିଲେ। ୨/୩ ଦିନ ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିର୍ଦେଶ ହେବା ପରେ କୋଭିଡ-୧୯ ନିୟମନୁଯାୟୀ ପର୍ୟ୍ୟାୟକ୍ରମେ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବା, ଧର୍ମାନୁଷ୍ଠାନ ପ୍ରବେଶ ପୂର୍ବରୁ ସାନିଟାଇଜର, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ହୋଇଛି। ଗୀର୍ଜା ଗୁଡ଼ିକରେ ପ୍ରାର୍ଥନା ଦୁଇଟି ପର୍ୟ୍ୟାୟରେ କରିବାକୁ ସ୍ଥିର ହୋଇଛି। ମସଜିଦରେ ମଧ୍ୟ କୋଭିଡ-୧୯ ନିୟମ ପାଳନ କରି ସୀମିତ ବ୍ୟକ୍ତିଙ୍କୁ ନେଇ ନମାଜ ପାଠ କରିବାକୁ କୁହାଯାଇଛି। ଗୁରୁଦ୍ୱାରରେ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ପ୍ରାର୍ଥନା କରିବା ନିମନ୍ତେ କମିଟିର ସଦସ୍ୟଙ୍କୁ କୁହାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପୂର୍ବତନ କାଉନସିଲର ସୁନିଲ କୁମାର ପଠା, ମଝିଘରିଆଣୀ ଟ୍ରଷ୍ଟ୍ ଅଧ୍ୟକ୍ଷ ରାଇସିଂ ବିଡିକା, ଖ୍ରୀଷ୍ଟ ଧର୍ମର ଜନ୍ ଭିକ୍ଟରର, କାଥେଲିକ ଚର୍ଚ୍ଚର ଶାନ୍ତି ଚନ୍ଦନ ପାଣି, ଚନ୍ଦ୍ର ଶେଖର ପଠା, ପ୍ରଶାନ୍ତ କୁମାର ତ୍ରିପାଠୀ, ମଞ୍ଜୁର ଖାନ୍, ମାଲିକ ଲକ୍ଷ୍ମଣ, ଏମ୍. ଡି. ଜାହାଙ୍ଗିର, ଡ. ପ୍ରେମ କୁମାର, ଏସ୍. କେ. ସର୍ କୁମାର, ଭୁପିନ୍ଦ୍ର ପ୍ରସାଦ ସିଙ୍ଗ, ଗୁରିନ୍ଦର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
The post ମା’ ମଝିଘରିଆଣୀ ମନ୍ଦିର ଖୋଲିବା ପ୍ରସଙ୍ଗ…ବୈଠକ ବସିଲା, ନିଷ୍ପତ୍ତି ଝୁଲିଲା first appeared on Sambad.from ଜିଲ୍ଲା | Sambad https://ift.tt/2Vlu7sj
0 Comments