କଟକ: କଟକ ବଡଡାକ୍ତରଖାନା ସ୍ବତନ୍ତ୍ର କୋଭିଡ୍ ୱାର୍ଡ (ମେଡିସିନ-୨)ରେ ଏକ ବଡ଼ଧରଣର ଅଘଟଣ ଘଟିଛି। ୱାର୍ଡର ପାଇଖାନାରେ ପଡି ଜଣେ ବୃଦ୍ଧ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ସଂପର୍କୀୟ ୱାର୍ଡରେ ରୋଗୀ ସେବାରେ ଗୁରୁତର ଅବହେଳା ଅଭିଯୋଗ ଆଣି ମଙ୍ଗଳାବାଗ ଥାନାରେ ମାମଲା ଦାୟକ କରିଛନ୍ତି। ଆଜି ସନ୍ଧ୍ୟାରେ ଘଟିଥିବା ଏହି ଅଭାବନୀୟ ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ ରାଜହଂସ ଗ୍ରାମର କୋଭିଡ ସଂକ୍ରମିତ ରୋଗୀ ଧ୍ରୁବଚରଣ ବେହେରା (୭୩) ଚିକିତ୍ସା ପାଇଁ ଗତକାଲି କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ସନ୍ଧ୍ୟାରେ ଶ୍ରୀ ବେହେରା ପରିସ୍ରା କରିବାକୁ ପାଇଖାନାକୁ ଯାଇଥିଲେ। କିନ୍ତୁ ତାଙ୍କ ସାଙ୍ଗରେ କେହି ନଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ଶ୍ରୀ ବେହେରାଙ୍କର ପାଇଖାନା ଭିତରେ ଗୋଡ଼ ଖସି ଯାଇଥିଲା। ଭିତରୁ କବାଟ ବନ୍ଦ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ପାଇଖାନାରେ ପଡ଼ିରହିଥିଲେ। କିନ୍ତୁ ତାଙ୍କର କେହି ଖୋଜ‌ଖବର ନେଇ ନଥିଲେ। ତାଙ୍କ ପୁଅ ରାମଚନ୍ଦ୍ର ବେହେରା କରିଥିବା ଅଭିଯୋଗ ଅନୁଯାୟୀ ସେ ବାପାଙ୍କ ସଂପର୍କରେ ବୁଝିବାକୁ ତାଙ୍କ ଫୋନ୍‌ରେ କଲ୍ କରିଥିଲେ ବି ସେ ଉଠାଇ ନଥିଲେ। କିଛି ସମୟ ପରେ ପାଖ ବେଡ୍‌ର ରୋଗୀ ତାଙ୍କ ବାପା ଦୀର୍ଘ ସମୟ ଧରି କୁଆଡ଼େ ଯାଇଛନ୍ତି ବୋଲି କହିଥିଲେ। ଏଭଳି ସ୍ଥିତିରେ ସେ ନିଜେ ୱାର୍ଡକୁ ଯାଇ ଖୋଳତାଡ କରିବା ସହିତ ପାଇଖାନା ଭିତରୁ ତାଙ୍କ ବାପାଙ୍କୁ ଉଦ୍ଧାର କରିଥିଲେ ବୋଲି ରାମଚନ୍ଦ୍ର ଅଭିଯୋଗ କରିଛନ୍ତି। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।

The post ଏସ୍‌ସିବି କୋଭିଡ୍ ୱାର୍ଡରେ ଅଘଟଣ, ପାଇଖାନାରେ ପଡ଼ି ରୋଗୀ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/2Vct4uZ