
ବାରିପଦା : ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିରର ଉନ୍ନତୀକରଣ ଓ ନବୀକରଣ କାର୍ଯ୍ୟକୁ ନେଇ ଅସନ୍ତୋଷ ତୀବ୍ର ହେବାପରେ ଆଜି ଜିଲ୍ଲାପାଳ ବିନୀଥ ଭରଦ୍ବାଜ, ଉପଜିଲ୍ଲାପାଳ ଅନ୍ୟା ଦାସ, ରାଜ୍ୟ ପୂର୍ତ୍ତ ବିଭାଗ ସହକାରୀ ମୁଖ୍ୟଯନ୍ତ୍ରୀ ହୀରାଲାଲ ଅଗରୱାଲାଙ୍କ ସମେତ ମନ୍ଦିର କାମରେ ନିୟୋଜିତ ସଂସ୍ଥାର ସ୍ଥପତି, ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ମନ୍ଦିର କାମ ନିରୀକ୍ଷଣ କରିଛନ୍ତି। ମନ୍ଦିର ମଠ ସୁରକ୍ଷା ମଞ୍ଚର କର୍ମକର୍ତ୍ତାଙ୍କ ସମେତ ସେବାୟତ ଓ ଭକ୍ତଙ୍କ ଉପସ୍ଥିତିରେ ଜାରି ରହିଥିବା ମନ୍ଦିର ବିକାଶ କାର୍ଯ୍ୟର ସର୍ଭେ କରାଯାଇଥିଲା। ଏଥିସହିତ ଏହି କାର୍ଯ୍ୟକୁ ଯେପରି ସଠିକ୍ ଢଙ୍ଗରେ କରାଯିବ ସେନେଇ ସମସ୍ତେ ସହମତି ପ୍ରକାଶ କରିଥିଲେ। ଏନେଇ ଆଜି ଏକାଧିକ ପ୍ରସ୍ତାବକୁ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ମାନିନେଇଥିଲେ। ଏହି କ୍ଷେତ୍ରର ବିକାଶ ନିମନ୍ତେ ରାଜ୍ୟ ସରକାର ଦେଇଥିବା ୫ କୋଟି ଅନୁଦାନ ଉଚିତ ବାଟରେ ଖର୍ଚ୍ଚ ହେଉନଥିବା ଅଭିଯୋଗ ହେବା ଏବଂ ନବୀକରଣ ନାମରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ଆସିବା ପରେ ପ୍ରଶାସନ ପକ୍ଷରୁ ଏହାକୁ ସଜାଡ଼ିବା ପ୍ରୟାସ ଆରମ୍ଭ ହୋଇଛି ।ଏହି କ୍ରମରେ ଆଜି ସମସ୍ତଙ୍କ ଉପସ୍ଥିତିରେ ବେଢ଼ାରେ ଥିବା ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ଆଉ ଥରେ ଭଙ୍ଗାଯାଇ ପୂର୍ବରୁ ଥିବା ଡିଜାଇନ୍ର ଅବିକଳ କରାଯିବା ନେଇ ନିଷ୍ପତି ହୋଇଛି। ସେହିପରି ମନ୍ଦିରରେ ଥିବା ପାହାଚରେ ମାର୍ବଲ୍ ବିଛାଯାଇଛି । ଫଳରେ ଭକ୍ତ ଓ ସେବାୟତମାନଙ୍କର ଗୋଡ଼ ଖସି ପଡ଼ି ଆହତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହି ପାହାଚକୁ ଏକ ମାସ ପାଇଁ ପରୀକ୍ଷାମୂଳକ ଭାବେ ଦେଖାଯିବ । ମାସେ ପରେ ଯଦି ଉକ୍ତ ପାହାଚ ଖସଡ଼ା ହୁଏ ତେବେ ଏହାକୁ ବଦଳାଯିବାର ନିଷ୍ପତି ନିଆଯାଇଛି। ମନ୍ଦିରର ସମସ୍ତ ପ୍ରବେଶ ପଥରେ ଥିବା ହାତୀ ଘୋଡ଼ା ଆଦିକୁ ନୂତନ ଭାବେ ପଥରରେ ନିର୍ମାଣ କରାଯିବ। ରୋଷଘର ଗମ୍ଭୀରା ବାଟରେ ଏବେ ମାର୍ବଲ୍ ପଡ଼ିଛି। ଯାହାକି ସେବାୟତଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ତେଣୁ ଏଠାରେ ଖଣ୍ଡେଲାଇଟ୍ ପଥର ପକାଯିବାର ବ୍ୟବସ୍ଥା ହେବ। ଠାକୁରଙ୍କ ନୀତିକାନ୍ତିରେ ବ୍ୟବହାର ହେଉଥିବା କୂପର ପୁନରୁଦ୍ଧାର କରାଯିବ। ଏହାକୁ ଖୋଳାଯିବା ସହିତ ସଫା କରାଯିବ। ରଥ କାଠ ରହୁଥିବା ସ୍ଥାନ ଦୟନୀୟ ଅବସ୍ଥାରେ ରହିଛି। ତେଣୁ ଏଠାରେ ରହୁଥିବା ରଥ କାଠ ବର୍ଷା ଫଳରେ ନଷ୍ଟ ହୋଇଯାଉଛି। ଏହାକୁ ମରାମତି କରାଯିବାକୁ ନିଷ୍ପତି ନିଆଯିବ। ସେହିପରି ରୋଷ ଘର ଚଟାଣ କାମକୁ ପୁନର୍ବାର ଖୋଳାଯାଇ ଗ୍ରାନାଇଟ୍ ଷ୍ଟୋନ୍ ପକାଯିବାନେଇ ନିଷ୍ପତି ହୋଇଛି। ମନ୍ଦିର ବେଢ଼ାରେ ବିଛାଯାଇଥିବା ଖଣ୍ଡେଲାଇଟ୍ ପଥର ଅସସମତୁଲ ଅବସ୍ଥାରେ ଥିବାରୁ ପାଣି ଜମୁଛି। ଏହାକୁ ସଠିକ୍ ଢଙ୍ଗରେ ସମତୁଲ ଭାବେ ପୁନର୍ବାର କରାଯିବାକୁ ନିଷ୍ପତି ହୋଇଥିଲା। ଏହାପରେ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଅନ୍ୟା ଦାସ ପ୍ରାଚୀନ ରଘୁନାଥ ଜୀଉ ମଠ ପରିଦର୍ଶନ କରିଥିଲେ। ଏହି ମଠର ଆବଶ୍ୟକୀୟ ମରାମତି ନେଇ ନିଷ୍ପତି ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ମନ୍ଦିର ମଠ ସୁରକ୍ଷା ମଞ୍ଚର ସଭାପତି ଭାନୁମିତ୍ର ଆଚାର୍ଯ୍ୟ, ମନ୍ଦିର ସେବାୟତ ସଂଘର ରାଜ୍ୟ ସଭାପତି କାମେଶ୍ବର ତ୍ରିପାଠୀ, ବରିଷ୍ଠ ସିନେ କଳାକାର ଉତ୍ତମ ମହାନ୍ତି, ଅସିତ ପତି, ରବିନ କୁମାର ମହାପାତ୍ର, ଇଶ୍ବର ଚନ୍ଦ୍ର ଦାସ, ସମାଜ ପତି, ଟୁନା ରଣା, ନଳିନୀ ବିନ୍ଧାଣୀ ପ୍ରମୁଖଙ୍କ ସମେତ ସେବାୟତଗଣ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟଯେ ରାଜ୍ୟ ସରକାରଙ୍କ ଅନୁଦାନ ୫ କୋଟି ଟଙ୍କା ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଉପଯୁକ୍ତ ଢଙ୍ଗରେ କାମ ହେଉନଥିବା ଅଭିଯୋଗ ଆଣି ପ୍ରଥମେ ସେବାୟତ ଏବଂ ପରେ ମଠ ମନ୍ଦିର ସୁରକ୍ଷା ମଞ୍ଚ ପକ୍ଷରୁ ତୀବ୍ର ଅସନ୍ତୋଷ ଜାହିର କରାଯାଇଥିଲା। ଏନେଇ ମଞ୍ଚ ପକ୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଥିଲା।
The post ବାରିପଦା ଜଗନ୍ନାଥ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ, ମନ୍ଦିର କାର୍ଯ୍ୟ ନିରୀକ୍ଷଣ କଲେ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗ ସହକାରୀ ମୁଖ୍ୟଯନ୍ତ୍ରୀ first appeared on Sambad.
from ଜିଲ୍ଲା | Sambad https://ift.tt/37vxgIL
0 Comments