
ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତର ଅଧୀନ ବଡ଼ବାହାଳ ରେଞ୍ଜ କରଡ଼ାପାଳ ଗ୍ରାମ ନିକଟ ଜଙ୍ଗଲରୁ ଶନିବାର ଏକ ଦନ୍ତାହାତୀର ଶବ ଉଦ୍ଧାର କରାଯାଇଛି। ହାତୀ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବନ ବିଭାଗ ପକ୍ଷରୁ ମୃତ୍ୟୁର କାରଣ ଖୋଜା ଚାଲିଛି।
ସୂଚନା ଅନୁଯାୟୀ, କରଡ଼ାପାଳ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିବା ପ୍ରଥମେ ସ୍ଥାନୀୟ ଗ୍ରାମବାସୀ ଦେଖିଥିଲେ। ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ହାତୀ ଦେହରେ ଗୁଳି କିଂବା କୌଣସି ମାରଣାସ୍ତ୍ର ବାଜି ନଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ଫଳରେ ହାତୀ ମୃତ୍ୟୁକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ହାତୀଟିର ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ହାତୀର ଦୁଇଟି ଦାନ୍ତ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଡିଏଫ୍ଓ ରମାକାନ୍ତ ନାୟକ ଓ ଏସିଏଫ୍ ଦେବୀପ୍ରସାଦ ରାଉତ ପହଞ୍ଚି ମୃତ୍ୟୁର କାରଣ ସଂର୍ପକରେ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି।
ସେପଟେ ଘଟଣାକୁ ନେଇ ଡିଏଫ୍ଓ କହିଛନ୍ତି ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ହାତୀର ରକ୍ତ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବର ପଠାଯାଇଛି। ରବିବାର ରିପୋର୍ଟ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଡିଏଫ୍ଓ କହିଛନ୍ତି। ଅନ୍ୟପକ୍ଷରେ ବଜ୍ରପାତ କିଂବା ଶିକାରୀଙ୍କ ଦ୍ବାରା ବିଛା ଯାଇଥିବା ବିଦ୍ୟୁତ୍ ତାର ଆଘାତରେ ଦନ୍ତାର ମୃତ୍ୟୁ ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ କୌଣସି ରୋଗରେ ପଡ଼ି ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗର କିଛି କର୍ମଚାରୀ କହିଛନ୍ତି।
The post କରଡ଼ାପାଳ ଜଙ୍ଗଲରୁ ଦନ୍ତା ହାତୀର ଶବ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3BcRcNk
0 Comments