ଜନସ୍ବାର୍ଥ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ: କେ. ରମେଶଙ୍କ ‘ହାଜତ ମୃତ୍ୟୁ’ ହୋଇନି

କଟକ : ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ଅଭିଯୋଗ ସଂପର୍କିତ ଦୁଇ ଜନସ୍ବାର୍ଥ ଆବେଦନର ଶୁଣାଣିରେ ଆଜି  ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପୁରୀ ଜେଏମ୍‌ଏଫ୍‌ସିଙ୍କ ରିପୋର୍ଟରୁ କେ. ରମେଶଙ୍କ ମୃତ୍ୟୁ ଏକ ‘ହାଜତ ମୃତ୍ୟୁ ଘଟଣା’ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ମୁଦା ଲଫାଫାରେ ହାଇକୋର୍ଟରେ ଦାଖଲ କରାଯାଇଥିବା ଜେଏମ୍‌ଏଫ୍‌ସିଙ୍କ ରିପୋର୍ଟକୁ ଆଜି ଶୁଣାଣି ସମୟରେ ଖୋଲା ଯାଇଥିଲା।

୨୨ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣକୁ ତଦନ୍ତ ବେଳେ ଜେଏମ୍‌ଏଫ୍‌ସି ବିଚାରକୁ ନେଇ ଏହି ରିପୋର୍ଟ ଦାଖଲ କରିଥିଲେ। କେ. ରମେଶଙ୍କ ପୁଲିସ ହାଜତରେ ମୃତ୍ୟୁ ହୋଇ ନଥିଲା ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଜେଏମ୍‌ଏଫ୍‌ସିଙ୍କ ରିପୋର୍ଟର ନକଲ ମୃତ କେ. ରମେଶଙ୍କ ବାପା ଓ ମା’ଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେବା ସହିତ ଏ ସଂପର୍କିତ ଦୁଇ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ରିପୋର୍ଟର ନକଲ ମିଳିବା ପରେ ଯଦି କେ. ‌ରମେଶଙ୍କ ବାପା-ମା ଚାହିଁବେ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏ ସଂପର୍କିତ ସମସ୍ତ ‌ଷ୍ଟାଟସ୍ ରିପୋର୍ଟ ‌ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶରତ କୁମାର ରାୟଗୁରୁ ଓ ଗୋପାଳକୃଷ୍ଣ ପଣ୍ଡାଙ୍କ ପକ୍ଷରୁ ଦାୟର ଦୁଇ ପୃଥକ ଜନସ୍ବାର୍ଥ ମାମଲାକୁ ଆଇନଜୀବୀ ଦୀପକ କୁମାର ମହାପାତ୍ର ଓ ଭବାନୀ ଶଙ୍କର ରାୟଗୁରୁ ପରିଚାଳନା କରୁଥିଲେ।

The post ଜନସ୍ବାର୍ଥ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ: କେ. ରମେଶଙ୍କ ‘ହାଜତ ମୃତ୍ୟୁ’ ହୋଇନି first appeared on Sambad.

from ଜିଲ୍ଲା | Sambad https://ift.tt/2W8f59D

Post a Comment

0 Comments