ନୂଆପଡ଼ା : ଚିକିତ୍ସା ପାଇଁ ଅର୍ଥାଭାବ। ସାହା ହେବାକୁ କେହି ନାହିଁ। ଶେଷରେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ସକାଶେ ଆବାସ ଯୋଜନାରେ ମିଳିଥିବା ଘରକୁ ବନ୍ଧା ପକାଇଛନ୍ତି ଏହି ଅସହାୟ ଗରିବ ପରିବାର। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଲାଞ୍ଜି ପଞ୍ଚାୟତ ମନ୍ତ୍ରୀତରାଇ ଗ୍ରାମରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଗାଁର ଗୌରାଙ୍ଗ ଦୁରିଆ (୪୫ ବର୍ଷ) ୨ ବର୍ଷ ତଳେ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ଼ ପଡ଼ିଥିଲା। ଚିକିତ୍ସା ପାଇଁ ଟଙ୍କା ଅଭାବ ହେବାରୁ କୌଣସି ଉପାୟ ନପାଇ ଆବାସ ଯୋଜନାରେ ତିଆରି କରିଥିବା ଘରକୁ ପରିବାର ଲୋକେ ବନ୍ଧକ ରଖିଥିଲେ। ବର୍ତ୍ତମାନ ଟଙ୍କା ଫେରାଇ ନପାରିବାରୁ ଏକ ପରିତ୍ୟକ୍ତ ଭଙ୍ଗାରୁଜା ସରକାରୀ କ୍ବାର୍ଟର୍‌ରେ ଆଶ୍ରୟ ନେଇଛନ୍ତି ଗୌରାଙ୍ଗଙ୍କ ପରିବାର। ଅର୍ଥ ଅଭାବରୁ ବଡ଼ ମେଡିକାଲ୍‌କୁ ଯାଇନପାରି ବୋଡ଼େନ, ଖଡ଼ିଆଳ ଏବଂ କାଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ରୋଗ ଭଲ ହେବା ବଦଳରେ ବଢ଼ି ଚାଲିଥିଲା। ଅଧିକ ଚିକିତ୍ସା ପାଇଁ ଟଙ୍କା ଦରକାର ହେଉଥିଲା। ଏଥିପାଇଁ ଆବାସ ଯୋଜନାର ଘରକୁ ଗାଁର ଜଣେ ବ୍ୟକ୍ତିଙ୍କ ପାଖରେ ୨୦ ହଜାର ଟଙ୍କାରେ ବନ୍ଧକ ରଖିଥିଲେ। ସେହି ଅର୍ଥରେ ଗୌରାଙ୍ଗ ଔଷଧ ଖାଇ ଚିକିତ୍ସିତ ହେଉଛନ୍ତି।

ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ଗାଁରେ ଥିବା ଜଳଛାୟା କାର୍ଯ୍ୟକ୍ରମର ଏକ ଘରେ ରହୁଛନ୍ତି। ଅନ୍ତୋଦୟ ଯୋଜନାରେ କେବଳ ୩୫ କେଜି ଚାଉଳ ସେମାନେ ପାଉଛନ୍ତି। ସ୍ତ୍ରୀ ମିଥିଳା କେବେ କେମିତି କୁଲି ମଜୁରି କରି କିଛି ଟଙ୍କା ରୋଜଗାର କରିଥାନ୍ତି। ଗୌରାଙ୍ଗଙ୍କ ନାମରେ ସରକାର ୪ ଡିସିମିଲ୍‌ ଘରଡ଼ିହ ଦେଇଛନ୍ତି, ହେଲେ ତାହା କେଉଁଠି ରହିଛି ସେ ଜାଣିନାହାନ୍ତି। କେବେ କିଡ୍‌ନି ରୋଗରୁ ମୁକ୍ତି ପାଇବେ ଓ କେବେ ଘରକୁ ମୁକୁଳାଇବେ ଚିନ୍ତାରେ ପଡ଼ିଯାଇଛନ୍ତି। ଏନେଇ ଖଡ଼ିଆଳ ବିଡିଓ ନାରାୟଣ ସାହୁ କହିଛନ୍ତି, ଏହି ବିଷୟରେ ଖବର ପାଇଛି, ଗାଁକୁ ଯାଇ ପରିବାର ଲୋକଙ୍କୁ ପଚାରି ତଦନ୍ତ କରିବି।

The post ଚିକିତ୍ସା ପାଇଁ ବନ୍ଧକ ରଖିଲେ ଆବାସ ଘର, ଟଙ୍କା ଫେରାଇ ନପାରି ପରିତ୍ୟକ୍ତ ଘରେ ନେଇଛନ୍ତି ଆଶ୍ରୟ first appeared on Sambad.

from ଜିଲ୍ଲା | Sambad https://ift.tt/2Wm2D5W