
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପୌର ପରିଷଦ ସ୍ୱାୟତ୍ତ ଶାସନ ଦିବସ ପାଳିତ କରିବାକୁ ଯାଉଛି। କିନ୍ତୁ ଗାଁ ପରିମଳ ଧୋବା ତୁଠରୁ ଜଣାପଡ଼ିବା ଭଳି ଖୋର୍ଦ୍ଧା ପୌର ପରିଷଦର ପରିମଳ ପରିଚାଳନା ବ୍ୟବସ୍ଥା ଏହାର ରାସ୍ତାଘାଟରେ ପଡ଼ିଥିବା କୁଢ଼କୁଢ଼ ଆବର୍ଜନାରୁ ସ୍ପଷ୍ଟ ଜଣାପଡ଼ୁଛି। ଖୋର୍ଦ୍ଧା ସହରରେ ନର୍ଦ୍ଦମା ନିଷ୍କାସନ ପାଇଁ ଗତ ୩ବର୍ଷ ଧରି ଯୋଜନା ହେଉଥିଲେ ମଧ୍ୟ ଏହା ଏଯାଏଁ ସଂପୂର୍ଣ୍ଣ ହୋଇପାରିନାହିଁ। ଏନେଇ ପୌର ପରିଷଦ ପୂର୍ତ୍ତ ବିଭାଗକୁ ଦୋଷ ଦେଉଥିବା ବେଳେ ପୂର୍ତ୍ତ ବିଭାଗ ଜବରଦଖଲ ହଟାଇବାରେ ରାଜସ୍ୱ ବିଭାଗ ଓ ପୌର ପରିଷଦର ନିଷ୍କ୍ରିୟତା ଉପରେ ଦୋଷ ଦେଉଛି। ଲୋକଙ୍କ ସେବାରେ ନିୟୋଜିତ ଥିବା ବିଭାଗ ପରସ୍ପର ଉପରେ ଦୋଷ ଦେଇ ଚାଲିଥିବା ବେଳେ ପୌର ପରିଷଦର କରଦାତା ଆବର୍ଜନାର ପୂତଗନ୍ଧମୟ ପରିବେଷରୁ ମୁକୁଳି ପାରୁନାହାଁନ୍ତି। ସେହିଭଳି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୦୨୦ ସ୍ୱାୟତ୍ତ ଶାସନ ଦିବସରେ ମୁକୁନ୍ଦ ପ୍ରସାଦରେ ଏକ ଅଣୁ ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ ହୋଇଥିଲା। ଘରଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବାକୁ ଇ-ରିକ୍ସା ନିୟୋଜିତ କରାଯାଇଥିଲା। କିନ୍ତୁ ଏହାପରେ ଚଳିତବର୍ଷ ସହରର ବିଭିନ୍ନ ବଜାର, ରାସ୍ତାକଡ଼ରେ ଲାଗିଥିବା ୩୦୦ରୁ ଉର୍ଦ୍ଧ୍ବ ଆବର୍ଜନା କୁଣ୍ଡ ଗୁଡ଼ିକ ଗାଏବ ହୋଇଯାଇଥିଲା।
ଏନେଇ ତତ୍କାଳୀନ ପୌର ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ କେହି ଚୋରି କରି ନେଇ ଯାଇଛନ୍ତି ବୋଲି କହିଥିଲେ। ଏହାପରେ ସହରରେ ରାସ୍ତାଘାଟରେ ଆବର୍ଜନା ଜମିବାରେ ଲାଗିଛି। ଏପରିକି ପୌର ପରିଷଦ କାର୍ଯ୍ୟାଳୟର କିଛି ମିଟର ମଧ୍ୟରେ ରାସ୍ତାକଡ଼ର ଉଭୟ ପାଶ୍ୱର୍ରେ ଆବର୍ଜନା ଜମି ରହିଥିବା ଦେଖିବାକୁ ମିଳୁଛି। ସହରର ବିଡିଏ କଲୋନି, ସାମନ୍ତରାପୁର, ନବୀନବାଗ ଆଦି ଅଂଚଳରେ ମାତ୍ର କିଛି ମିନିଟ ବର୍ଷା ହେଲେ ରାସ୍ତାଘାଟରେ ଆବର୍ଜନା ଜଳ ରାସ୍ତାଉପରେ ଜମା ହୋଇଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନୂତନ ଭାବେ ଜଣେ ଆଇଏଏସ୍ ଅଧିକାରୀ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ନେବା ପରେ ସହରର ଅବସ୍ଥାରେ ସୁଧାର ଆସିବ ବୋଲି ସାଧାରଣରେ ଆଶା ପ୍ରକଟ କରାଯାଇଥିଲା। କିନ୍ତୁ ସେ ଯୋଗ ଦେବାର ଏହା ମଧ୍ୟରୁ ୪୦-୫୦ ଦିନ ବିତିଯାଇଛି, କିନ୍ତୁ ସହରର ପରିମଳ ବ୍ୟବସ୍ଥା ନେଇ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ପାରିନାହିଁ।
The post ଆଜି ସ୍ୱାୟତ୍ତ ଶାସନ ଦିବସ, କିନ୍ତୁ ଖୋର୍ଦ୍ଧାରେ ଆବର୍ଜନା କୁଢ଼କୁଢ଼ first appeared on Sambad.from ଜିଲ୍ଲା | Sambad https://ift.tt/3yvBgEf
0 Comments