ବରଗଡ଼ : ସମ୍ବଲପୁରୀ ବସ୍ତ୍ର କିଣାବିକା ପାଇଁ ପ୍ରସିଦ୍ଧି ଲାଭ କରିଛି ବରଗଡ଼ ଜିଲ୍ଲା। ବରଗଡ଼ ସହରରୁ ମାତ୍ର ୮ କିଲୋମିଟର‌୍‌ ଦୂରରେ ବସୁଥିବା ବାଲିଯୁରୀ ବଜାରରେ ପ୍ରତି ସପ୍ତାହରେ ପାଖାପାଖି କୋଟିଏ ଟଙ୍କାର ବ୍ୟବସାୟ ହୋଇଥାଏ। କିନ୍ତୁ ବ୍ୟବସ୍ଥିତ ଭିତ୍ତିଭୂମିର ଅଭାବ ଯୋଗୁଁ ବୁଣାକାର ଏବ˚ ବ୍ୟବସାୟୀମାନେ ଉଚିତ ବଜାର ସୁବିଧା ପାଉନାହାନ୍ତି। ତେବେ ବେହେରା ଗାଁ ସଂଲଗ୍ନ ଜାତୀୟ ରାଜପଥ କଡ଼େ ଗଢ଼ି ଉଠୁଛି ଏକ ଅତ୍ୟାଧୁନିକ ହସ୍ତତନ୍ତ ହବ୍‌। ୨୦୧୮ ମସିହା ଅଗଷ୍ଟ ମାସରୁ ଏହାର ନିର୍ମାଣ କାମ ଚାଲିଛି। ଦୁଇ ବର୍ଷ ଭିତରେ ବେହେରା ବୁଣାକାର ବଜାର କାମ ସରିବ ବୋଲି ଆକଳନ ହୋଇଥିଲା। ତତ୍କାଳୀନ ହସ୍ତତନ୍ତ ତଥା ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଂଗିନୀ ଛୁରିଆ ଯେହେତୁ ବରଗଡ଼ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିଲେ, ତେଣୁ ଏହି ହବ୍‌ ନିର୍ମାଣ କାମ ଶୀଘ୍ର ସରିବ ବୋଲି ଆଶା ଥିଲା। କିନ୍ତୁ ଏବେ ନିର୍ମାଣ କାମ ସଂପୂର୍ଣ୍ଣ ଧିମା ପଡ଼ିଛି। ତିନି ବର୍ଷ ବିତିବାକୁ ବସିଛି, ଅଥଚ କାମ ସରୁନି।

କିଛି ଦିନ ତଳେ ମନ୍ତ୍ରୀ ପଦ୍ମିନୀ ଦିଆନ ବରଗଡ଼ ସହରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ହେଲେ ମନ୍ତ୍ରୀ ନିର୍ମାଣାଧୀନ ହବ୍‌ ଅଂଚଳ ପାଖକୁ ଯାଇନଥିଲେ। ଯଦ୍ବାରା ଏହି ପ୍ରକଳ୍ପ ନିର୍ମାଣ କାମ ଆହୁରି ଲମ୍ବା ଚାଲିବ ବୋଲି ଆଲୋଚନା ହେଲାଣି। ଏହି ପ୍ରକଳ୍ପ ପାଇଁ ୧୦କୋଟି ଟଙ୍କାର ଅଟକଳ ରହିଛି। ୭୦ହଜାର ବର୍ଗ ଫୁଟ୍‌ ଜମିରେ ଏହି ପ୍ରକଳ୍ପ ନିର୍ମାଣ ଚାଲିଛି। ତେବେ ୫୮ହଜାର ବର୍ଗ ଫୁଟ୍‌ରେ ମୁଖ୍ୟ କୋଠା ରହିଛି। ଏହି କୋଠାରେ ୧୦ବର୍ଗ ଫୁଟ୍‌ ବିଶିଷ୍ଟ ୧୩୮ଟି ଦୋକାନ ସହ ବୁଣାକାର ଏବ˚ ବ୍ୟବସାୟୀମାନେ ରହିବା ପାଇଁ ଡର୍ମିଟୋରି ବ୍ୟବସ୍ଥା ରହିଛି। ମହିଳା ଏବ˚ ପୁରୁଷଙ୍କ ପୃଥକ୍‌ ଶୌଚାଳୟ, ଗୋଟିଏ ଏଟିଏମ୍‌ କାଉଣ୍ଟର ଏବ˚ ସୁରକ୍ଷା ପାଇଁ ପୁଲିସ୍‌ କର୍ମଚାରୀଙ୍କ ରହିବା ବନ୍ଦୋବସ୍ତ କରାଯାଇଛି। ଏହାବାଦ କମ୍ୟୁନିଟି ସେଣ୍ଟର, ପାର୍କି˚ ପାଇଁ ପର୍ଯ୍ୟାପ୍ତ ସ୍ଥାନ, ଶିଶୁମାନଙ୍କ ପାଇଁ ପ୍ଲେ’ ଜୋନ୍‌ ଯୋଜନା ରହିଛି। ଶହେ ସିଟ୍‌ ବିଶିଷ୍ଟ ଗୋଟିଏ ଖୋଲା ର˚ଗମ˚ଚ ମଧ୍ୟ ପ୍ରସ୍ତାବରେ ରହିଛି। କିନ୍ତୁ ନିର୍ମାଣ କାମ ଯେତିକି ଧିମା ଚାଲିଛି, ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ଆହୁରି ଢେର ଦିନ ଲାଗିବ ବୋଲି ଚର୍ଚ୍ଚା ହୋଉଛି।

ଅନ୍ୟପକ୍ଷରେ ଭିତ୍ତିଭୂମି ଏବଂ ବଜାର ସୁବିଧା ନଥିବାରୁ ହସ୍ତଶିଳ୍ପ କାରିଗରମାନେ ଶୋଷଣର ଶିକାର ହେଉଛନ୍ତି। ବାହାର ରାଜ୍ୟରୁ ସମ୍ବଲପୁରୀ ବସ୍ତ୍ର ବଜାରରୁ ଶହଶହ ବେପାରୀ ଆସୁଛନ୍ତି। ଏଠାରୁ କମ୍‌ ମୂଲ୍ୟ‌ରେ ବସ୍ତ୍ର ନେଇ ବାହାର ରାଜ୍ୟରେ ବହୁଗୁଣା ଟଙ୍କାରେ ବିକ୍ରି କରି ମୁନାଫା ପାଉଛନ୍ତି। ଅଥଚ ସ୍ଥାନୀୟ ବୁଣାକାର ନିଜର ମୂଲ ଟଙ୍କା ବି ପାଉନାହିଁ। ଗୋଟିଏ ଶାଢ଼ି ବୁଣିବାକୁ ପାଖାପାଖି ମାସେ ସମୟ ଲାଗୁଛି। ଏଥିରେ ଜଣେ ବୁଣାକାରର ସାରା ପରିବାର ନିୟୋଜିତ ରହୁଛନ୍ତି। କିନ୍ତୁ ବଜାର ସୁବିଧା ନଥିବାରୁ ବୁଣାକାରକୁ କିଛି ଲାଭ ମିଳୁନାହିଁ। ଗୋଟିଏ ପଟେ ସୂତା ଓ ଅନ୍ୟ ସରଞ୍ଜାମର ଦରବୃଦ୍ଧି, ଅନ୍ୟପଟେ ଜିଏସ୍‌ଟି ବୋଝ। ଏସବୁ ଭିତରେ ସ୍ଥାନୀୟ ବୁଣାକାରର ଭବିଷ୍ୟତ ଚାପି ହୋଇ ରହିଛି।

The post କେତେ ଦିନ ଗଡ଼ିବ ହସ୍ତତନ୍ତ ହବ୍‌? first appeared on Sambad.

from ଜିଲ୍ଲା | Sambad https://ift.tt/3jMoWtJ