ଭବାନୀପାଟଣା/ଧର୍ମଗଡ଼/ଗୋଲାମୁଣ୍ଡା: ସ୍ତ୍ରୀର ମୃତ୍ୟୁ ସହିନପାରି ଜଳନ୍ତା ଜୁଇକୁ ଡେଇଁ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ସିଆଲଯୋଡ଼ି ଗ୍ରାମରେ। ମଙ୍ଗଳବାର ଗ୍ରାମର ନୀଳମଣି ଶବରଙ୍କ ସ୍ତ୍ରୀ ରଏବାରୀ ଶବର (୬୦ ବର୍ଷ)ଙ୍କ ହୃତଘାତରେ ମୃତ୍ୟୁ ହୋଇଥିଲା। ତାଙ୍କର ୪ ପୁଅ ଓ ଆତ୍ମୀୟମାନେ ଆସିବା ପରେ ଶବ ସତ୍କାର କରିବାକୁ ଗାଁ ଶ୍ମଶାନକୁ ନେଇଥିଲେ। ରଏବାରୀଙ୍କ ଜୁଇ ଜଳିବା ପରେ ସମସ୍ତେ ସ୍ନାନ କରି ଘରକୁ ଫେରିଥିଲେ। ସେଠାର ତାଙ୍କ ସ୍ୱାମୀ, ଆଉ ୨ଜଣ ଜଗିଥିଲେ। ମାନସିକ ଭାରସାମ୍ୟ ହରାଇ ହଠାତ୍‌ ଜୁଇ ଉପରକୁ ନୀଳମଣି ଡେଇଁପଡ଼ି ଜୀବନ୍ତ ଦଗ୍ଧ ହୋଇଥିଲେ। ନିଆଁ ହୁ ହୁ ହୋଇ ଜଳୁଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ। ତୁରନ୍ତ ତାଙ୍କର ୪ ପୁଅ, ଗ୍ରାମବାସୀ ଶ୍ମଶାନକୁ ଯାଇଥିଲେ। ସ୍ତ୍ରୀର ଜୁଇକୁ ସ୍ବାମୀ ଡେଇଁବା ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ନୀଳମଣି ଚହକା ପଞ୍ଚାୟତର ସିଆଲଯୋଡି ଗ୍ରାମ ୫ନଂ ୱାର୍ଡର ୱାର୍ଡମେମ୍ବର ଥିଲେ। ବିଗତ ଦିନରେ ଚହକା ପଞ୍ଚାୟତର ସମିତି ସଭ୍ୟ ମଧ୍ୟ ଥିଲେ।

The post ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3muRP0p